ଫେରିଯିବ ବାଘୁଣୀ ସୁନ୍ଦରୀ  

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଫେରିଯିବ ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟକୁ ଫେରିବ ସୁନ୍ଦରୀ। ତାକୁ ନେବା ପାଇଁ ସେଠାରୁ ଗୋଟିଏ ୬ ଜଣିଆ ଟିମ୍ ଆଜି ଆସିଛନ୍ତି । ଟିମ୍‌ରେ ଜଣେ ଏସିସିଏଫ୍ ଓ ଡାକ୍ତର ଅଛନ୍ତି । ଏହି ଟିମ୍  ସୁନ୍ଦରୀର ବ୍ୟବହାର, ଚାଲିଚଳଣ ଓ ସ୍ୱାସ୍ଥ୍ୟ ସମୀକ୍ଷା କରିବେ। ତେବେ ସୁନ୍ଦରୀ କେବେ ଫେରିବ, ତାହା ୩ରୁ ୪ ଦିନ ସମୀକ୍ଷା ପରେ ଟିମ୍ ଜଣାଇବ। ସୁନ୍ଦରୀକୁ ରଖିବା ଲାଗି ‘କାହ୍ନା’ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବଡ଼ ଯନ୍ତା ରଖାଯାଇଛି ।

ତା ଭିତରକୁ ଘାସ ଖିଆ ଜନ୍ତୁ ଛଡ଼ା ଯାଇ ପୁଣିଥରେ ସୁନ୍ଦରୀର ସ୍ୱାଭାବିକ ଚରିତ୍ର ଫେରାଇ ଆଣିବାକୁ ପ୍ରଚେଷ୍ଟା କରାଯିବ । ତେବେ ସୁନ୍ଦରୀକୁ ଆଣିବା ଯେତିକି ବାଧା ଥିଲା, ସେତିକି ଶିକ୍ଷା ମଧ୍ୟ ଥିଲା ବୋଲି ପିସିସିଏଫ୍ ଶଶୀ ପଲ୍ କହିଛନ୍ତି । ତେବେ ଏ ପ୍ରକଳ୍ପ ବିଫଳ ହୋଇନାହିଁ । ଏନ୍‌ଟିସିଏ ନିୟମାବଳୀ ଆଧାରରେ ପ୍ରକଳ୍ପ ପୁଣି ଆରମ୍ଭ ହେବ ବୋଲି ସେ କହିଛନ୍ତି।

ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ କାହ୍ନା ଅଭାୟାରଣ୍ୟରୁ ବାଘ ଓ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଭାୟରଣ୍ୟକୁ ଅଣାଯାଇଥିଲା। ମାତ୍ର ବାଘର ମୃତ୍ୟୁ ଘଟିଥିବା ବେଳେ ବାଘୁଣୀ କୋର ଏରିଆକୁ ଯାଇନଥିଲା। ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂରି ବୁଲୁଥିଲା। ଆଉ ସୁବିଧା ଦେଖି ଶିକାର ମଧ୍ୟ କରିଥିଲା।  ସୁନ୍ଦରୀ ମଣିଷ ଓ ଗୋରଙ୍କୁ ଶିକାର କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୁନ୍ଦରୀକୁ ଫେରାଇ ନେବା ପାଇଁ ଦାବି ଉଠିଥିଲା।

ଶେଷରେ ଗାଁ ଲୋକଙ୍କ ଦାବି ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇ ଥିଲା। ପରେ ସୁନ୍ଦରୀକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ୍‌। ମାସାଧିକ କାଳ ଚେଷ୍ଟା  ପରେ ସୁନ୍ଦରୀ ଧରା ପଡ଼ିଥିଲା। ସୁନ୍ଦରୀ ଏବେ ବନ୍ଦୀ ଜୀବନ କାଟୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।