ବିଦ୍ୟୁତ୍‌ ତାର ନେଇଗଲା ଦୁଇ ଜୀବନ

ଖୋର୍ଦ୍ଧା/ଅନୁଗୋଳ (ଓଡ଼ିଶା ରିପୋର୍ଟର): ଦୁଇଟି ଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅଧୀନ ଗେଡ଼ିଆପଲ୍ଲୀ ପଞ୍ଚାୟତ ଶ୍ୟାମମହାପାତ୍ର ଗାଁରେ ଆଜି ସକାଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଭାଗବତ ପଣ୍ଡା। ତାଙ୍କୁ ୩୫ ବର୍ଷ ହୋଇଥିଲା।

ମୃତ ଯୁବକ ଜଣକ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ସେ ପୋଖରୀକୁ ଲାଗି ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଳାପଥର ମେଡ଼ିକାଲ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସେହିପରି ଅନୁଗୋଳ ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ଗାଁରେ ଆଉଏକ ଅଘଟଣ ଘଟିଛି। ବିଦ୍ୟୁତ୍ ସଂଯୋଗ ପାଇଁ ଟ୍ରାନ୍ସଫରମରକୁ ଚଢ଼ିଥିବା ବେଳେ ଚାଲିଯାଇଛି ଜଣଙ୍କ ଜୀବନ। ମୃତକଙ୍କ ନାଁ ଧୀର ସାହୁ। ତାଙ୍କ ଘର ସେହି ମୂଷାପାପୁଲି ଗାଁରେ। ସୂଚନା ମୁତାବକ ନିଜର ବିଦ୍ୟୁତ ସଂଯୋଗ ନ ଥିବାଯୋଗୁଁ ସେ କନେକ୍ସନ ପାଇଁ ଟ୍ରାନ୍ସଫର୍ମରରେ ଚଢ଼ି ମରାମତି କରୁଥିଲେ।

ଏହି ସମୟରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହ ଏ ସଂପର୍କରେ ବିଦ୍ୟୁତ୍‌ ବିଭାଗ ଓ ପୁଲିସକୁ ଜଣାଇ ଥିଲେ। ବିଦ୍ୟୁତ ବିଭାଗ ଅଧିକାରୀ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।