କଟକ: ଡେଙ୍ଗୁ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

କଟକ: କଟକ ବଡ ମେଡିକାଲରେ ଆଜି ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ କଟକ ଜିଲ୍ଲା ଜଗତପୁର ଅନ୍ତର୍ଗତ ଅତୁଡାର ଚତୁର୍ଭୁଜ ପରିଡା। ଚୁତୁର୍ଭୁଜଙ୍କୁ ମିଶାଇ ଏସ୍‌ସିବିରେ ୩ ଜଣ ରୋଗୀ ଡେଙ୍ଗୁରେ ପ୍ରାଣ ହରାଇଥିବା ବେଳେ ପୂର୍ବରୁ ବଡବିଲ୍‌ରେ ଦୁଇଜଣ ପ୍ରାଣ ହରାଇଥିଲେ।

କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି,“କଟକରେ ଡେଙ୍ଗୁର ପ୍ରାଦୁର୍ଭାବ ରହିଛି। ଏଥିରେ ପାଖାପାଖି ୨୧୨ ଜଣ ଆକ୍ରାନ୍ତ ହୋଇ ଚିକିତ୍ସଧୀନ ଅଛନ୍ତି। ଜଗତପୁର ଅଞ୍ଚଳରେ ବେଶୀ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଶିଳ୍ପାଞ୍ଚଳ ହେତୁ ଡେଙ୍ଗୁ ବାହକ ମଶାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏବେ ସେ ଅଞ୍ଚଳରେ ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଯେତିକି ପରିମାଣରେ କମିବା କଥା କମିନି।”

ସୂଚନାଯୋଗ୍ୟ ଏପର୍ଯ୍ୟନ୍ତ ମୋଟ ୨,୯୭୮ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ୫୯୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ବାହାରିଛି। ଏସ୍‌ସିବିରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ମୋଟ୍‌ ୧୬୦ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ରୋଗୀଙ୍କ ସଂଖ୍ୟା ବଢୁଥବାରୁ ବେଡ ସଂଖ୍ୟାକୁ ୧୭୫କୁ ବୃଦ୍ଧି କରଯାଇଛି।