ଅର୍ଚ୍ଚନାଙ୍କ ହନିଟ୍ରାପ୍‌ରେ ନେତା ଓ ମନ୍ତ୍ରୀ: ସିବିଆଇ ଓ ଏସ୍‌ଆଇଟି ତଦନ୍ତ ଦାବି କଲେ ବିଜେପି, କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଟୁଛି ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କ ହନିଟ୍ରାପ୍‌ର ଗୁମର। ହେଲେ ଖୋଲୁନି ଏହି ରାଣୀମହୁମାଛିଙ୍କ ସହ ଥିବା ନେତା ଓ ମନ୍ତ୍ରୀଙ୍କ ଲିଙ୍କ୍। ପୁଲିସ ଏବାବଦରେ ପୂରା ଚୁପ୍। ଯାହାକୁ ନେଇ ପୁଲିସ ଉପରେ ସନ୍ଦେହ ବଢ଼ିଛି। ବିରୋଧୀ ଦଳ ପକ୍ଷରୁ ପୁଲିସର ତଦନ୍ତ ଉପରେ ଆଙ୍ଗୁଳି ଉଠିଛି। ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଓ ପୂରା ମାମଲାରେ ଗଣ୍ଡା ଗଣ୍ଡା ନେତାଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଆଜି ଆକ୍ସନ ମୋଡ୍‌କୁ ଆସିଛନ୍ତି ବିରୋଧୀ। ଅର୍ଚ୍ଚନା ନାଗ ମାମଲାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ଆଳି ବ୍ଲକ୍ କଂଗ୍ରେସ ପକ୍ଷରୁ ଆଜି ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ହେଲେ ଏନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଆଳି ବିଜେଡି ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି।

ସେହିପରି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଛାତ୍ର କଂଗ୍ରେସ ସମାଲୋଚନା କରିଛି। ମାମଲାର SIT ତଦନ୍ତ ଦାବି କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ୍। ପୁଲିସ ଓ ପ୍ରଶାସନ ଅଗୋଚରରେ ଅର୍ଚ୍ଚନା କିଭଳି ସାମ୍ରାଜ୍ୟ ଚଳାଉଥିଲା ଏବଂ ଯୁକ୍ତିଯୁକ୍ତ କାରଣ ନ ଥାଇ ଅର୍ଚ୍ଚନାଙ୍କୁ କାହିଁକି ଭିସିରେ ହଜାର କରାଗଲା, ତାହାର ଉତ୍ତର ସରକାର ଦିଅନ୍ତୁ ବୋଲି ଦାବି କରାଯାଇଛି। ମାମଲାରେ ପୁଲିସ ପ୍ରମାଣ ନଷ୍ଟ କରୁଥିବା ସେ ସନ୍ଦେହ କରୁଥିବା ପ୍ରକାଶ କରିଛନ୍ତି। ସେହିପରି ଏହି ମାମଲାରେ ୨୦ରୁ ୨୫ ଜଣ ବିଜେଡି ନେତାଙ୍କ ସଂପୃକ୍ତି ଅଛି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ। ଏହି ମାମଲାରେ ତୃତୀୟ ମହଲା ଓ ସିପି କାହିଁକି ଚୁପ୍ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ସେପଟେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି ବିଜେପି। ସରକାର ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି, ତେଣୁ ରାକେଟ୍‌ର ସଂପୃକ୍ତ ନେତା, ମନ୍ତ୍ରୀଙ୍କ ନାଁ ସ୍ପଷ୍ଟ କରି ତୁରନ୍ତ ସେମାନଙ୍କୁ ଗିରଫଦାରୀ କରିବାକୁ ଦାବି କରିଛନ୍ତି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଅପରପକ୍ଷେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, ଯଦି କାହା ବିରୋଧରେ ତଥ୍ୟ ଅଛି ତାହେଲେ ବିରୋଧୀ ପବ୍ଲିକକୁ ଆଣନ୍ତୁ। ଏଭଳି ଶସ୍ତା ଗପକୁ ଲୋକେ ଗ୍ରହଣ କରିବେନି।

ଅନ୍ୟପଟେ ଖୋଲିଛି ଅର୍ଚ୍ଚନାଙ୍କ ନାଗଫାଶର କଳା ଚିଠା। ଖଣ୍ଡଗିରି ଥାନାରେ ଅଭିଯୋଗକାରିଣୀଙ୍କ ଏତଲା କପିର ନକଲରୁ ମିଳିଛି ସାଂଘାତିକ ସୂଚନା। ପୀଡ଼ିତାଙ୍କ ଅଭିଯୋଗ, ୨୦୧୮ରେ ସେ ଚାକିରୀ ଖୋଜିବା ପାଇଁ ଆସିଥିବା ବେଳେ ଅର୍ଚ୍ଚନାଙ୍କ ସହ ପରିଚୟ ହୋଇଥିଲାା ଗୋଟିଏ କୋଠାରେ ଘରଭଡ଼ା ନେଇ ରହୁଥିବାରୁ ଉଭୟଙ୍କ ପରିଚୟ ବଢ଼ିଥିଲା। ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଞ୍ଚଳରେ ଏହି ଘର ରହିଥିଲା। ପ୍ରମୋଦ ସ୍ୱାଇଁ ନାମକ ଜଣେ ବ୍ୟବସାୟୀ ହେଉଛନ୍ତି ଏହି ଘରର ମାଲିକ। ଯେଉଁ ଘରେ ଚାକିରି ଆଳରେ ପୀଡ଼ିତାଙ୍କୁ ଫସାଇଥିଲେ ଅର୍ଚ୍ଚନା।

ଏହି ଘରକୁ ଆସୁଥିଲେ ବହୁ ବଡ଼ବଡ଼ିଆ। ଆଉ ତାଙ୍କ ସହ ସେକ୍ସ ଭିଡିଓ ବନାଇ ବ୍ଲାକମେଲିଂ ଦ୍ୱାରା ରୋଜଗାର ପାଇଁ ପ୍ରବର୍ତ୍ତାଇଥିଲେ ଅର୍ଚ୍ଚନା। ଗୋଟିଏ ଦିନ ରାତିରେ ପାର୍ଟି ନାଁରେ ନିଶା ପାନୀୟ ପିଆଇ ବେହୋସ କରିଦେଇଥିଲେ। ଏଥିରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ବି ସାମିଲ ଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା। ଏମିତିକି ଗତ ଏପ୍ରିଲରେ ଅକ୍ଷୟ ପରିଜାଙ୍କ ନମ୍ବର ଦେଇ ତାଙ୍କୁ ଫସାଇବାକୁ କହିଥିଲେ। ଖାଲି ସେତିକି ନୁହେଁ ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ବହୁ ଲୋକଙ୍କଠୁ ବଳପୂର୍ବକ କୋଟି କୋଟି ଟଙ୍କା ଆଦାୟ କରୁଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା।

ଅଥଚ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ବିରୋଧରେ ପୁଲିସ କୌଣସି ଠୋସ୍ ପଦକ୍ଷେପ ନେଇନି। ଦୁହିଁଙ୍କୁ ପୁଲିସ କେବଳ ପଚରଉଚରା କରିଛି। ଅର୍ଚ୍ଚନାଙ୍କ କଳାଟଙ୍କା ଖଗେଶ୍ୱରଙ୍କ ସେକେଣ୍ଡ ହ୍ୟାଣ୍ଡ କାର୍ ବିଜନେସ୍‌ରେ ବିନିଯୋଗ ହେଉଥିଲା ବୋଲି ଅଭିଯୋଗ ଉଠିଛି।

ତେବେ ଫୋନ୍ ଯେଗେ ଖଗେଶ୍ୱର ପାତ୍ର କହିଛନ୍ତି, ମୁଁ ଜଗବନ୍ଧୁଙ୍କୁ ଜାଣିଛି, କିନ୍ତୁ ଆସୁଥିବା ଅଭିଯୋଗରେ ମୋର ସଂପୃକ୍ତି ନାହିଁ। ଜଗବନ୍ଧୁ ୨ଟି ସେକେଣ୍ଡହ୍ୟାଣ୍ଡ କାର ତାଙ୍କ ଠାରୁ ନେଇଥିଲେ। ପୁନଶ୍ଚ ବର୍ଷେ କିମ୍ୱା ଦୁଇବର୍ଷ ପରେ ବିକ୍ରି କରିଦେଇଥିଲେ। ସେମାନଙ୍କ ଠାରୁ ଟଙ୍କାଟିଏ ବି ନେଇ ନ ଥିବା ଖଗେଶ୍ୱର କହିଛନ୍ତି।

ସେପଟେ ୨୦୧୬ରେ ପ୍ରମୋଦ ସ୍ୱାଇଁଙ୍କ ସହ ଅର୍ଚ୍ଚନାଙ୍କ ଘରଭଡ଼ା ବିବାଦ ଥାନା ପର୍ଯ୍ୟନ୍ତ ଯାଇଥିଲା। ପ୍ରମୋଦଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣି ଅର୍ଚ୍ଚନା ବି ପାଲଟା ଏତଲା ଦେଇଥିଲେ। ସେହି କେସ୍ ଫାଇଲ୍ ଖୋଲି ଗତରାତିରେ ପ୍ରମୋଦଙ୍କ ଘରକୁ ଯାଇ ଛାନ୍‌ଭିନ୍‌ କରିଛି ପୁଲିସ।

ଏସବୁ ଭିତରେ କୋର୍ଟରେ ଆରମ୍ଭ ହୋଇଛି ଅର୍ଚ୍ଚନାଙ୍କ ଜାମିନ ଆବେଦନ ପ୍ରକ୍ରିୟା। ନିଜ ଓକିଲ ସଂପର୍କରେ ସ୍ପଷ୍ଟ କରିବାକୁ ଅର୍ଚ୍ଚନାଙ୍କୁ ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ଝାରପଡ଼ା ଜେଲ୍‌ରୁ ହିଁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅର୍ଚ୍ଚନାଙ୍କୁ ହାଜର କରାଯାଇଥିବା କୁହାଯାଉଛି। କାଳେ ଗଣମାଧ୍ୟମ ଆଗରେ ଅର୍ଚ୍ଚନା କାହା ବିରୋଧରେ ବିସ୍ଫୋରକ ବୟାନ ଦେଇଦେବେ, ସେହି ଆଶଙ୍କାରେ ଭିଡିଓ କନ୍‌ଫରେନ୍ସିଂର ସାହାରା ନିଆଯାଇଥିଲା। ହନିଟ୍ରାପ୍, ବ୍ଲାକମେଲ୍ ଆଉ ଟଙ୍କା ଆଦାୟ ଭଳି ଅଭିଯୋଗ ଉପରେ ୧୬ଟି ଦଫା ଅର୍ଚ୍ଚନାଙ୍କ ବିରୋଧରେ ଲାଗିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।