ଅର୍ଚ୍ଚନାଙ୍କ ଲିଙ୍କ ଥିବା ବ୍ୟବସାୟୀଙ୍କୁ ପଚରାଉଚରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଲିଙ୍କରେ ଜଣେ ବ୍ୟବସାୟୀଙ୍କୁ ପଚରାଉଚରା କରୁଛି ପୁଲିସ। ବ୍ୟବସାୟୀଙ୍କ ବରମୁଣ୍ଡା ସ୍ଥିତ ଘରେ ପୁଲିସ ଯାଇ ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଏହି ବ୍ୟବସାୟୀ ଜଣକ ଫିଲ୍ମ ପ୍ରଯୋଜକ ଥିଲେ। ତାଙ୍କ ନାଁ ପ୍ରମୋଦ ସ୍ୱାଇଁ। ଅର୍ଚ୍ଚନା ପୂର୍ବରୁ ଅର୍ଥାତ ୨୦୧୬ରେ ପ୍ରମୋଦଙ୍କ ଘରେ ଭଡ଼ାରେ ରହୁଥିଲେ। ଘରଭଡ଼ାକୁ ନେଇ ବିବାଦ ଥିଲା ଏବଂ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ଅର୍ଚ୍ଚନା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଏହି ବିବାଦର ଖୋଳତାଡ଼ ପାଇଁ ଆଜି ଖଣ୍ଡଗିରି ଥାନା ଅଧିକାରୀ ତାଙ୍କ ବରମୁଣ୍ଡା ଘରକୁ ଯାଇ ପଚରାଉଚରା କରିଥିବା ଜଣାପଡ଼ିଛି।

ସେପଟେ ଏଭଳି ନାନା ପ୍ରଶ୍ନ ଭିତରେ ଅର୍ଚ୍ଚନା ନାଗ ଭୁବନେଶ୍ୱର SDJMଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। କାଲି କୋର୍ଟରେ ଅର୍ଚ୍ଚନା ହାଜର ହୋଇପାରନ୍ତି। ତେବେ କ’ଣ ଅର୍ଚ୍ଚନା ଜାମିନ ପାଇବେ ନା ପୁଲିସ ତାକୁ ରିମାଣ୍ଡରେ ନେଇ ହନିଟ୍ରାପ୍ ହାଇପ୍ରୋଫାଇଲ୍ ଲିଙ୍କ୍ କାଢ଼ିବ ତାହାକୁ ନେଇ ଉତ୍କଣ୍ଠା ବଢ଼ିଛି।

ହେଲେ ଅର୍ଚ୍ଚନାର ଚକ୍ରବ୍ୟୁହରେ ଛନ୍ଦି ହୋଇ ବ୍ଲାକମେଲ୍‌ର ଶୀକାର ହୋଇଥିବା ଅନ୍ୟ ପ୍ରଭାବଶାଳୀ ନେତା, ଠିକାଦାର, ସରକାରୀ ବାବୁ ଗଲେ କୁଆଡ଼େ ? ଅର୍ଚ୍ଚନା ବିରୋଧରେ ଏମାନେ କାହିଁକି ମୁହଁ ଖୋଲୁନାହାଁନ୍ତି ? ଘାରୁଛି କି ଲୋକଲଜ୍ଜାର ଭୟ ? ଅର୍ଚ୍ଚନା ବିରୋଧରେ ଯଦି କେହି ମୁହଁ ନଖୋଲନ୍ତି ତେବେ ମାମଲା ଦୁର୍ବଳ ହୋଇଯିବନି ତ ? ଉଭୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ନିଜ ପ୍ରୋଫାଇଲ୍‌ରେ ବିଜେଡି ସହ ସଂପୃକ୍ତି ନେଇ ଉଲ୍ଲେଖ କରିଥିବାବେଳେ ଦଳ କାହିଁକି ଏ ନେଇ ସ୍ପଷ୍ଟୀକରଣ ଦେଇନି ତାହାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଥାଉକି, ଲେଡି ବ୍ଲାକମେଲର୍ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଯେତେ ଖୋଳିଲେ ସେତିକି ଅଧିକ ବାହାରୁଛି। କଳାଟଙ୍କାରେ କେବଳ ସେ ଯେ ରାଜପ୍ରସାଦ ଭଳି ଘରେ ରହି କିମ୍ବା ନାମୀଦାମୀ ଗାଡ଼ି ଚଢ଼ି, ମାଳ ମାଳ ସୁନା ଅଳଙ୍କାର ପିନ୍ଧି ସଉକ୍ ମେଣ୍ଟାଉଥିଲେ ତାନୁହେଁ, ଏଥିସହ ବ୍ଲାକମେଲ ଟଙ୍କାରେ ହୋଟେଲ୍, ରେଷ୍ଟୁରାଣ୍ଟର ବିଜନେସ୍ ନିଶା ବି ଘାରିଥିଲା ତାଙ୍କୁ। ଗତ ଜୁନ୍ ୨୯ରେ ଗୋଲ୍ଡନ୍ ଏମ୍ପ୍ରେସ ପ୍ରାଇଭେଟ୍ ଲିମିଟେଡ୍, ୨୦୨୧ ଜାନୁୟାରୀ ୯ରେ ଆଦିତ୍ୟ ପ୍ରେଷ୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଏକ ପ୍ରଡ଼କ୍ସନ ହାଉସ୍ ତିଆରି କରିଥିଲେ ନାଗ-ଚାନ୍ଦ ଦମ୍ପତ୍ତି। ତେବେ ଏଭଳି କଳାଧନ୍ଧାର ସାମ୍ରାଜ୍ୟ ପଛରେ କାହାର ରହିଛି ଅଭୟ ବର ? କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ କାହା ବଳରେ ବଳିୟାନ୍ ସାଜିଥିଲେ ଅର୍ଚ୍ଚନା ? ଏସବୁର ତଥ୍ୟ ପଦାକୁ ଆଣିବ ତ ପୁଲିସ ? ଯାହାକୁ ନେଇ ଏଭଳି ପ୍ରଶ୍ନ ଛିଡ଼ା ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।