’ଅର୍ଚ୍ଚନାଙ୍କ ସତ ପଦାକୁ ଆସିଲେ ଭାଙ୍ଗିବ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରହସ୍ୟମୟୀ ସୁନ୍ଦରୀ ଅର୍ଚ୍ଚନା ନାଗ୍‌ ଚଳାଇଥିବା ସେକ୍ସ ରାକେଟ ମାମଲା ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବଡ଼ ବୟାନ। ସେ କହିଛନ୍ତି, ଅର୍ଚ୍ଚନା ଚଳାଇଥିବା ସେକ୍ସ ରାକେଟ ଓ ବ୍ଲାକ୍ ମେଲ ମାମଲାରେ ଅନେକ ବିଜେଡି ନେତା, ମନ୍ତ୍ରୀ, ଅଫିସରଙ୍କ ସମ୍ପୃକ୍ତି ରହିଛି। ବିଜେପିର ମଧ୍ୟ କିଛି ପୂର୍ବତନ ମନ୍ତ୍ରୀ ଓ ସଦସ୍ୟଙ୍କ ସମ୍ପୃକ୍ତି ରହିଛି। ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ। ତେଣୁ ବିଜେଡି ସରକାର ଚାପରେ ପଡ଼ି ଜବତ ହୋଇଥିବା ଲାପଟପ୍ ଓ ମୋବାଇଲ୍‌ରେ ଥିବା ଭିଡ଼ିଓ, ଫଟୋ, ନାମ ବିଷୟରେ ପୁଲିସ ତଥ୍ୟ ଲୁଚାଉଛି।

ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜବତ ଲାପଟପ୍‌ ଭିତରେ ଥିବା ରହସ୍ୟକୁ ପୁଲିସ ସମସ୍ତଙ୍କ ସାମ୍ନାକୁ ନ ଆଣିବା ଭଳି ଅର୍ଚ୍ଚନା ମାମଲାରେ ମଧ୍ୟ ତଥ୍ୟ ନଷ୍ଟା କରାଯିବା କିଛି ଅସମ୍ଭବ ନୁହେଁ। ବିଜେଡି ନେତା ମାନେ ସଫା ପୋଷାକ ପିନ୍ଧି ଘୃଣ୍ୟ କାମ କରୁଛନ୍ତି। ସେମାନଙ୍କ ନାମକୁ ସାଧାରଣରେ ପ୍ରକାଶ କରାଯିବା ସହ ମାମଲା କରାଯାଉ। ଲୋକ ଜାଣିବେ କେଉଁମାନେ ଘୃଣିତ କାମ କରୁଛନ୍ତି। ମାମଲାର SIT ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ସେ ଦାବି କରିଛନ୍ତି।

ସେପଟେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେହେତୁ ଏହି ମାମଲାରେ ବଡ଼ବଡ଼ ସରକାରୀ ଅଧିକାରୀ, ରାଜନେତା, ବ୍ୟବସାୟୀ ସମ୍ପୃକ୍ତ ଅଛନ୍ତି, ପୋଲ ଖୋଲିଯିବା ଭୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ସମସ୍ତଙ୍କୁ ଘଣ୍ଟ ଘୋଡ଼ାଉଛି। ତେଣୁ ସମ୍ପୃକ୍ତ ଥିବା ସବୁ ଚେହେରା ବାହାରକୁ ଆସିବାର ଆବଶ୍ୟକତା।

ସେପଟେ ଧୀରେ ଧୀରେ ଖୋଲୁଛି ମାୟାବିନୀ ଅର୍ଚ୍ଚନା ନାଗର କଳା ଟଙ୍କା ଗୁମର। ନିଜ ମାୟା ଜାଲରେ ସେ କିଭଳି ବିଭିନ୍ନବର୍ଗର ଲୋକଙ୍କୁ ଫସାଉଥିଲେ। ସେ ନେତା, ମନ୍ତ୍ରୀ, ବିଲ୍ଡର, ବ୍ୟବସାୟୀ, ଫିଲ୍ମ କଳାକାରଙ୍କ ଭଳି ବହୁ ବଡ଼ବଡ଼ିଆଙ୍କ ସମ୍ପର୍କରେ ଆସି କିଭଳି କୋଟି କୋଟି ଟଙ୍କା କମାଉଥିଲେ। ଏହି କଳା ଟଙ୍କାକୁ ସେ କେମିତି ଓ କେଉଁ ବାଟରେ ବିନିଯୋଗ କରୁଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସେ କାହା ସହ କାରରେ ବୁଲିବାକୁ ଯାଉଥିଲେ, କାହା ସହ କ୍ରିକେଟ୍ ଦେଖିବାକୁ ବାରବାଟୀ ଷ୍ଟାଡିୟମ୍ ଯାଉଥିଲେ, ଆଉ କାହା ସହ ରେସ୍ତୋରାଁ ଯାଉଥିଲେ; ଗତ କିଛି ଦିନ ଧରି ଅର୍ଚ୍ଚନା ନାଗ ଲିଙ୍କରେ ଥିବା ନେତା ମନ୍ତ୍ରୀ ଫିଲ୍ମ ପ୍ରଯୋଜକଙ୍କ ଫଟୋ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିଲେ ମଧ୍ୟ ପୁଲିସ ଏଯାଏଁ କିଛିବି ଖୁଲାସା କରୁନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।