ଆରଥ୍‌ମିଆରେ ଆକ୍ରାନ୍ତ ୨୫ ଦିନର ଶିଶୁକନ୍ୟା ନୂଆ ଜୀବନ ପାଇଲା

ଭୁବନେଶ୍ୱର: ଯଦି ଆପଣଙ୍କର ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ଶିଶୁମାନେ ନିୟମିତ କାନ୍ଦୁଥିଲେ ମଧ୍ୟ ଅଧିକାଂଶ ଲୋକ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି। ପେଟ କାଟୁଥିବା, କାନ ଟାଣୁଥିବା ଭଳି ଭାବନା ସହିତ କୋଲିକ୍ କିମ୍ବା ଅନ୍ୟ କିଛି ଭାବି କୌଣସି ପଦକ୍ଷେପ ନିଅନ୍ତି ନାହିଁ। କିନ୍ତୁ ଏହା ବିପଦଜନକ ଆରଥମିଆ ହୋଇପାରେ, ଯାହା ଶିଶୁମାନଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। […]

AIIMS

AIIMS

Hemant Lenka
  • Published: Thursday, 20 January 2022
  • Updated: 20 January 2022, 09:16 PM IST

ଭୁବନେଶ୍ୱର: ଯଦି ଆପଣଙ୍କର ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ଶିଶୁମାନେ ନିୟମିତ କାନ୍ଦୁଥିଲେ ମଧ୍ୟ ଅଧିକାଂଶ ଲୋକ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି। ପେଟ କାଟୁଥିବା, କାନ ଟାଣୁଥିବା ଭଳି ଭାବନା ସହିତ କୋଲିକ୍ କିମ୍ବା ଅନ୍ୟ କିଛି ଭାବି କୌଣସି ପଦକ୍ଷେପ ନିଅନ୍ତି ନାହିଁ। କିନ୍ତୁ ଏହା ବିପଦଜନକ ଆରଥମିଆ ହୋଇପାରେ, ଯାହା ଶିଶୁମାନଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହେବାର ଆଶଙ୍କା ରହିଛି।

ତେଣୁ ଏଭଳି କ୍ଷେତ୍ରରେ ଶିଶୁକୁ ଷ୍ଟେଥୋସ୍କୋପ ସହାୟତାରେ ପରୀକ୍ଷା କରାଯିବା ସହିତ ହୃଦ୍‌ସ୍ପନ୍ଦନକୁ ମଧ୍ୟ ଯାଞ୍ଚ କରାଯିବା ଉଚିତ ବୋଲି ଏମ୍‌ସ ଭୁବନେଶ୍ୱର ନବଜାତ ଶିଶୁ (ନିଓନାଟୋଲୋଜି)ବିଭାଗର ଆସୋସିଏଟ୍ ପ୍ରଫେସର ଡା ପଙ୍କଜ ମହାନ୍ତି କହିଛନ୍ତି।

ଏମ୍‌ସ ଭୁବନେଶ୍ୱରରେ ଜରୁରୀକାଳୀନ ପରିସ୍ଥିତିରେ ଆରଥ୍‌ମିଆରେ ଆକ୍ରାନ୍ତ ୨୫ ଦିନର ଶିଶୁ କନ୍ୟାର ସଫଳ ଚିକିତ୍ସା କରାଯାଇଛି। ପ୍ରାୟ ୩ ଦିନ ହେବ ଶିଶୁକନ୍ୟାଟି ଲଗାତର କାନ୍ଦିବା ସହିତ କିଛି ଖାଉନଥିଲା। ଏଥିରେ ବ୍ୟସ୍ତ ହୋଇ ତାଙ୍କ ବାପା ମା’ ମଙ୍ଗଳବାର ରାତିରେ ଏମ୍‌ସ ଭୁବନେଶ୍ୱରରେ ପହଞ୍ଚିଥିଲେ।

ହସ୍‌ପିଟାଲ ଆଣିବା ସମୟ‌ରେ ଶିଶୁକନ୍ୟାଜଣକ ଗୁରୁତର ଅବସ୍ଥାରେ ଥିଲା। ଏଠାକୁ ଆସିବା ପୂର୍ବରୁ ଶିଶୁକନ୍ୟାର କୋଲିକ୍, ଓଟିଟିସ୍ ବା ସେପସିସ୍ ଭଳି ଚିକିତ୍ସା କରାଯାଇଥିଲା। ତେବେ ଏଠାକୁ ଆସିବାରେ ପରେ ନବଜାତ ଶିଶୁ ବିଭାଗର ଡା ମହାନ୍ତିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ ତା’ର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ।

ଏହି ସମୟରେ ଶିଶୁର ହୃଦ୍‌ସ୍ପନ୍ଦନ (ହାର୍ଟ ରେଟ୍) ୩ଶହ ବିପିଏମ୍‌ରୁ ଅଧିକ ଥିବା ଜଣାପଡ଼ିଥିଲା। ସାଧାରଣତଃ ଶିଶୁ ମାନଙ୍କ କ୍ଷେତ୍ରରେ ଏହା ୧୪୦ ବିପିଏମ୍‌ ରହିଥାଏ। ତେବେ ହାର୍ଟ ରେଟ୍‌ ଅଧିକ ଥିବାରୁ ଶିଶୁକନ୍ୟାର ତୁରନ୍ତ ଇସିଜି କରାଯାଇଥିଲା। ଏହି ସମୟରେ ପି ତରଙ୍ଗ(ପି ୱେଭ୍‌) ଓ ହୃଦ୍‌ସ୍ପନ୍ଦନ ୨୮୮ ଏସ୍‌/ ଓପିଏସ୍‌ଭିଟି ରହିଥିବା ଜଣାପଡ଼ିଥିଲା।

ଫଳରେ ତା’କୁ ତୁରନ୍ତ ଏନ୍‌ଆଇସିୟୁକୁ ନିଆଯାଇଥିଲା। ଏଥିସହିତ ଅତ୍ୟନ୍ତ ସନ୍ତର୍ପଣର ସହିତ ଦୁଇ ଡୋଜ୍ ଆଡେନୋସାଇନ୍ ପ୍ରଦାନ କରାଯାଇଥିଲା। କିନ୍ତୁ ହୃଦ୍‌ସ୍ପନ୍ଦନକୁ ସଠିକ୍‌ ସ୍ଥିତିକୁ ଫେରାଇଆଣିବାରେ ଏହା ସକ୍ଷମ ହୋଇନଥିଲା। ପରେ ଆମିଓଡାରୋନ୍ ପ୍ରଦାନ କରାଯାଇଥିଲା। ଯାହାଫଳରେ ହୃଦ୍‌ସ୍ପନ୍ଦନ ୨୭୦କୁ ତଳକୁ ଖସିଥିଲା।

ମାତ୍ର ଇସିଜିରେ ପିଏସ୍‌ଭିଟି ଥିବା ଜଣାପଡ଼ିଥିଲା। ତେଣୁ ଶିଶୁକନ୍ୟାକୁ ଶକ୍‌ ଦିଆଯାଇଥିଲା। ଏହା ଫଳପ୍ରଦ ମଧ୍ୟ ହୋଇଥିଲା। ଶେଷରେ ତା’ର ହୃଦ୍‌ସ୍ପନ୍ଦନ ସାମାନ୍ୟ ହୋଇଥିଲା। ୨୪ ଘଣ୍ଟା ପରେ ଶିଶୁକନ୍ୟା ଜଣକ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା। ଉନ୍ନତ ଚିକିତ୍ସା ଫଳରେ ଶିଶୁଟି ସ୍ତନ୍ୟପାନ ମଧ୍ୟ କରିଥିଲା। ପ୍ରାୟ ୩ ଦିନ ହେବ କିଛି ଖାଉନଥିବା ଶିଶୁକନ୍ୟାଟି ଏନ୍‌ଆଇସିୟୁରୁ ବାହାରି ଖାଇବା ସହିତ ସାଧାରଣ ବ୍ୟବହାର କରିଥିଲା।

ଏମ୍‌ସ ହୃଦ୍‌ରୋଗ ବିଭାଗର ଅତିରିକ୍ତ ପ୍ରଫେସର ଡା ରାମଚନ୍ଦ୍ର ବାରିକ୍ ଶିଶୁଟିର ଇକୋକାର୍ଡିଓଲୋଜି କରିବାରେ ସହଯୋଗ କରିବା ସହିତ ସ୍ଥିତି ଉପରେ ନଜର ରଖିଥିଲେ। ସେହିପରି ଡିଏମ୍‌ ରେସିଡେଣ୍ଟ୍‌ ଡା ପୂର୍ବାଶା ପ୍ରଥମେ ଶିଶୁକନ୍ୟାକୁ ଦେଖିବା ସହିତ ବରିଷ୍ଠ ବିଶେଷଜ୍ଞଙ୍କୁ ସୂଚନା ଦେଇଥିଲେ। ଜୁନିୟର୍‌ ରେସିଡେଣ୍ଟ୍‌ ଡା ହେମନ୍ତଙ୍କ ସହିତ ନବଜାତ ଶିଶୁ ବିଭାଗର ଏକାଧିକ କର୍ମଚାରୀ ଏହି ଚିକିତ୍ସା ଦଳରେ ସାମିଲ ଥିଲେ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ପ୍ରକାରର ମାମଲା ପ୍ରାୟତଃ ଘଟିଥାଏ। ମାତ୍ର ସଚେତନତାର ଅଭାବ କାରଣରୁ ଅଭିଭାବକମାନେ ଏହାକୁ ଅଣଦେଖା କରିଥାଆନ୍ତି। ଏପରି କି ଚିକିତ୍ସା ସମୟରେ ମଧ୍ୟ ଆରଥ୍‌ମିଆକୁ ଦୃଷ୍ଟିକୁ ନିଆଯାଇନଥାଏ। ଯାହାଫଳରେ ଶିଶୁମାନଙ୍କ କ୍ଷେତ୍ରରେ ହାର୍ଟ ଓ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ସମସ୍ୟା ଦେଖାଦେଇଥାଏ।

ଏନେଇ ସମସ୍ତେ ସଚେତନ ହେବା ଉଚିତ୍। ପ୍ରତ୍ୟେକ ଶିଶୁ ଅତ୍ୟଧିକ କାନ୍ଦିବା କୋଲିକ୍, ଓଟିଟିସ୍ କିମ୍ବା ସେପସିସ୍ ରୋଗ ନୁହେଁ। ଏହା ଆରଥମିଆ ହୋଇପାରେ, ଯଦି ଠିକ୍ ସମୟରେ ନିରାକରଣ ନହୁଏ ତେବେ ଏହା ସାଂଘାତିକ ହୋଇପାରେ ବୋଲି ଡା ମହାନ୍ତି କହିଛନ୍ତି।

ଏମ୍‌ସ ଭୁବନେଶ୍ୱରରେ ଚିକିତ୍ସା ପରେ ଶିଶୁ କନ୍ୟାଜଣକ ବର୍ତ୍ତମାନ ସୁସ୍ଥ ଥିବା ସହିତ ମା’ କ୍ଷୀର ଖାଉଥିବା ତାଙ୍କ ବାପା କହିଛନ୍ତି। ଏହି ବିଷୟକୁ ନେଇ ଇଲେକ୍ଟ୍ରୋଫାଇଜୋଲୋଜି ଅଧ୍ୟୟନ କରାଯିବାକୁ ଯୋଜନା କରାଯାଇଛି। ଆବଶ୍ୟକ ପଡ଼ିଲେ ରେଡିଓ ଫ୍ରିକ୍ୱେନ୍ସି ଆବ୍ଲେସନ୍ ମଧ୍ୟ କରାଯିବ ବୋଲି ଡା ମହାନ୍ତି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟଯେ ନବଜାତ ଶିଶୁ ବିଭାଗର ଡା ମହାନ୍ତିଙ୍କୁ ଛାଡ଼ି ପ୍ରାୟତଃ ଏକାଧିକ ଡାକ୍ତର/ଏସ୍‌ଆର କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସିମୀତ ମାନବସମ୍ବଳକୁ ନେଇ ଏମ୍‌ସ ଡାକ୍ତରୀ ଦଳ ଏପରି ସଫଳ ଚିକିତ୍ସା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଶିଶୁ କନ୍ୟାଙ୍କ ପିତାମାତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos