ଅଶାନ୍ତ ସମୁଦ୍ର: ପୁରୀ ଯିବ ଜଳ ସମ୍ପଦ ବିଭାଗର ବୈଷୟିକ ଟିମ୍‌

puriଭୁବନେଶ୍ୱର: ପୁରୀ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଲହଡି କୂଳ ଖାଉଥିବାରୁ ବେଳାଭୂମିରେ ପସରା ମେଲାଇଥିବା ବ୍ୟବସାୟୀ ଓ ଉଠାଦୋକାନୀ ଭୟରେ ଉଠି ଗଲେଣି। ଏହି ଘଟଣାର ଅନୁଧ୍ୟାନ କରିବାକୁ ଜଳ ସମ୍ପଦ ବିଭାଗର ଏକ ବୈଷୟିକ ଟିମ୍‌ ପୁରୀ ଯିବ।

ଆଜି ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଉପସ୍ଥିତିରେ ପୁରୀ-କୋଣାର୍କ ଡେଭଲପ୍‌ମେଣ୍ଟ ଅଥରିଟି (ପିକେଡିଏ)ର ବୈଠକ ବସିଥିଲା। ଏଥିରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଯୋଗଦେଇ ପରିସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଖୁବ୍‌ଶୀଘ୍ର ଜଳ ସମ୍ପଦ ବିଭାଗର ଏକ ବୈଷୟିକ ଟିମ୍‌ ସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଜିଲ୍ଲାପାଳ ଅଗ୍ରୱାଲ କହିଛନ୍ତି, “ବୈଷୟିକ ଟିମ୍‌ ଅନୁଧ୍ୟାନ କରିବା ପାଇଁ ପୁରୀ ଯିବ। ସମୁଦ୍ର ପାଣି ଯେପରି ଆଉ ଅଧିକ କ୍ଷତି ନ ପହଞ୍ଚାଇବ ସେ ନେଇ ଶୀଘ୍ର ପଦକ୍ଷେପ ନିଆଯିବ।”

ଅନ୍ୟପକ୍ଷରେ ପୁରୀ ବିଧାୟକ ମହେଶ୍ୱର ମହାନ୍ତି ଆଜି ବେଳାଭୂମି ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ମହାନ୍ତି କହିଛନ୍ତି, “ସମୟସାପେକ୍ଷ ହେଲେ ମଧ୍ୟ ସମୁଦ୍ର କୂଳରେ ସିଟ୍‌ ପାଇଲିଂ ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯିବ।”