ଆସନ୍ତାକାଲି ସିଏମସି ନିର୍ବାଚନ, ୨୧ ନମ୍ୱର ୱାର୍ଡରେ ଉପ-ନିର୍ବାଚନ ଆବେଦନ ହାଇକୋର୍ଟରେ ଖାରଜ

କଟକ: ଆସନ୍ତାକାଲି କଟକ ମେୟର ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିବା ୨୧ ନମ୍ୱର ୱାର୍ଡ କର୍ପୋରେଟର ନିର୍ବାଚନ କରିବା ନେଇ ହାଇକୋର୍ଟରେ ହୋଇଥିବା ମାମଲା ଗୁରୁବାର ହାଇକୋର୍ଟରେ ଖାରଜ ହୋଇଯାଇଛି। ୨୧ ନମ୍ୱର ୱାର୍ଡର ଆଶାୟୀ କର୍ପୋରେଟର ପ୍ରାର୍ଥୀ କନକଲତା ନାଏକ ଏହି ମାମଲା ରୁଜୁ କରିଥିଲେ। କର୍ପୋରେଟର ପଦ ଖାଲିଥିବାବେଳେ ମେୟର ନିର୍ବାଚନ କରାଗଲେ ଏହା ଓଡ଼ିଶା ମ୍ୟୁନିସପାଲ୍ କର୍ପୋରେସନ୍ ଆଇନର ଉଲ୍ଲଂଘନ ହେବ ବୋଲି ସେ ପିଟିସନରେ ଦର୍ଶାଇଥିଲେ। ତେବେ କୋର୍ଟ ଏହାକୁ ଖାରଜ କରିବା ପରେ ଆସନ୍ତାକାଲି ମେୟର ନିର୍ବାଚନ ହେବା ସ୍ପଷ୍ଟ ହୋଇଛି।

ଆସନ୍ତାକାଲି କଟକ ମେୟର ନିର୍ବାଚନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି କଟକର ତିନି ବିଧାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ସିଏମସି ମେୟର ନିର୍ବାଚନ ନେଇ ତିନି ଯୋଗ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛୁ। ସେମାନଙ୍କ ମଧ୍ୟରେ ମମତା ବେହେରା ଓ ସୁଲୋଚନା ସେଠୀ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଯାହାକୁ ମେୟର ପଦବୀ ପାଇଁ ବାଛିବେ ଆମେ ତାଙ୍କୁ ଗ୍ରହଣ କରିବୁ। ଆସନ୍ତାକାଲିର ନିର୍ବାଚନରେ ଉଷାଦେବୀ ପର୍ଯ୍ୟବେକ୍ଷକ ରହିବେ ବୋଲି ସେ ସୂଚନା ଦେଇଛନ୍ତି।