ଆସନ୍ତାକାଲି ଏସଆଇଟି ବୈଠକ: ଡି’ ବ୍ରଦର୍ସଙ୍କ କଳାଧନ ପ୍ରସଙ୍ଗର ହୋଇପାରେ ଆଲୋଚନା

କଟକ: କଳାଧନ ମାମଲାର ତଦନ୍ତ କରୁଥିବା ଏସଆଇଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି କଟକରେ ଅନୁଷ୍ଠିତ ହେବ। ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଇଡି, ଆୟକର ବିଭାଗ, ଖଣି ଓ କ୍ରାଇମବ୍ରାଞ୍ଚ ଭଳି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଡି-ବ୍ରଦର୍ସଙ୍କ କଳାଧନ ପ୍ରସଙ୍ଗ ଆଲୋଚନା ହେବ ବୋଲି ଜଣାପଡିଛି।

ଇଡି ଓ ଆୟକର ବିଭାଗ ଡି-ବ୍ରଦର୍ସଙ୍କ କଳାଧନ ମାମଲାରେ ଏସଆଇଟିଙ୍କୁ ନିଜ ନିଜ ରିପୋର୍ଟ ପ୍ରଦାନ କରିବେ। ଡି-ବ୍ରଦର୍ସ ୫୦୦ କୋଟି ଟଙ୍କା କଳାଧନର ମାଲିକ ହୋଇଥିବା କୁହାଯାଉଛି। କେଉଁ ସୁତ୍ରରୁ ଏତେ ଟଙ୍କାର ଅଧିକାରୀ ସେମାନେ ହେଲେ, କେଉଁ ସ୍ଥାନରେ ଏହାକୁ ବିନିଯୋଗ କରିଛନ୍ତି ଆଦି ଦିଗରେ ଏସ୍‌ଆଇଟି ତଥ୍ୟ ସଂଗ୍ରହ କରିବେ। ଇଡି ଏବଂ ଆୟକର ବିଭାଗ ଏ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁଇ ବିଭାଗ ଆସନ୍ତାକାଲି ଏସଆଇଟିଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି। ସେପଟେ ଡି-ବ୍ରଦର୍ସଙ୍କ କଳାଟଙ୍କା ଏସଆଇଟିର ତଦନ୍ତ ପରିସର ଭୁକ୍ତ ହେଇପାରେ ବୋଲି ଇଙ୍ଗିତ କରିଛନ୍ତି ଏସଆଇଟି ଉପାଧକ୍ଷ ଜଷ୍ଟିସ ଅରିଜିତ ପଶାୟାତ।

ଦେଶ ତଥା ଦେଶ ବାହାରେ ଥିବା କଳାଧନର ତଦନ୍ତ ପାଇଁ ଗଠିତ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା। ପୂର୍ବ ବୈଠକରେ କଳାଧନ କାରବାର ପ୍ରସଙ୍ଗରେ ଏସଆଇଟି ବିଭିନ୍ନ ବିଭାଗକୁ ମାଗିବା ତଥ୍ୟ ଆସନ୍ତକାଲି ପ୍ରଦାନ କରାଯିବ। ଏହାସହ ସୁର, ସାରଥୀଙ୍କ କଳାଧନ ସମ୍ପର୍କିତ ତଥ୍ୟ ମଧ୍ୟ ଉପସ୍ଥାପନ କରାଯିବ।