ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ: ବଜେଟ ପୂର୍ବରୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭା ଇତିହାସରେ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ପରମ୍ପରା। ସଂସଦ ଅଧିବେଶନ ପୂର୍ବରୁ ଯେପରି ସର୍ବଦଳୀୟ ବୈଠକ ଡକାଯାଇଥା ଆସନ୍ତାକାଲି ସେହିପରି ବୈଠକ ଡକାଇଛନ୍ତି ବାଚସ୍ପତି। ବୈଠକରେ କ’ଣ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଏଥର କାମଚଳା ନ ପୂର୍ଣ୍ଣାଙ୍ଗ ବଜେଟ ହେବ ସେ ନେଇ ସବୁ ଦଳର ମତାମତ ନିଆଯାଇପାରେ।

ବିଧାନସଭା ଅଧିବେସନ ପୂର୍ବରୁ ପ୍ରଥମଥର ପାଇଁ ବାଚସ୍ପତି ଏପରି ସର୍ବଦଳୀୟ ବୈଠକ ଡାକିଛନ୍ତି। କେନ୍ଦ୍ରୀୟ ବଜେଟ ପରେ ରାଜ୍ୟ ବଜେଟ୍ ଆସିବା ସମ୍ଭାବନା ରହିଛି। ତେବେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବନ୍ଦ ଓ ଅନୁଦାନ ହ୍ରାସ ବଜେଟ ପ୍ରସ୍ତୁତିରେ ସମସ୍ୟା ହୋଇଥିବା କୁହାଯାଉଛି। ଏଭଳି ସ୍ଥଳେ କାମଚଳା ନା ପୂର୍ଣ୍ଣାଙ୍ଗ ବଜେଟ୍ ହେବ ସେ ନେଇ ବିରୋଧୀଙ୍କ ମତାମତ ନିଆଯାଇପାରେ।

ଏ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ୮ଟି ଯୋଜନା ଓ ୩୩ଟି ଯୋଜନାରେ ଆର୍ଥିକ ସହାୟତା ବନ୍ଦ କରିଦେଲେ। ସେଥିପାଇଁ ବଜେଟ ପ୍ରସ୍ତୁତି କରିବାରେ କିଛିଟା ସମସ୍ୟାର ସମ୍ମୁଖୀନ ହେବକୁ ପଡୁଛି। ପୂର୍ଣ୍ଣାଙ୍ଗ ବଜେଟ କିମ୍ବା କାମଚଳା ବଜେଟ ଆସିବ ସେ ନେଇ ଏହି ବୈଠକରେ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଗଣତନ୍ତ୍ରକୁ ସମ୍ମାନ ଦେଇ ଯଦି ବୈଠକ ହୁଏ ତେବେ ଏହା ବିଜେପି ପକ୍ଷରୁ ସ୍ୱାଗତ କରାଯିବ। ପବିତ୍ର ଗୃହର ମୁଖ୍ୟକର୍ତ୍ତାକୁ ଡାକି ଯଦି ଅପମାନ କରାଯାଏ ଓ ଆମ ଆଶା ଅନୁଯାଇ ନିଷ୍ପତ୍ତି ନ ହୁଏ ବା ଉପେକ୍ଷା କରାଯାଏ ତେବେ ଗଣତନ୍ତ୍ରର ହତ୍ୟା କରାଯିବା ଛଡା ଆଉ କିଛି ହେବ ନାହିଁ।

ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଯେଉଁ ଯୋଜନା ଗୁଡିକରେ କେନ୍ଦ୍ର ସରକାର ଅର୍ଥ କାଟି ଦେଇଛନ୍ତି ଅବା ଅନୁଦାନ ଦେବା ବନ୍ଦ କରିଦେଇଛନ୍ତି ସେହି ଯୋଜନାରେ ସରକାର ରାଜ୍ୟ ରାଜକୋଷରୁ ଅର୍ଥ ଭରଣା କରିଛନ୍ତି। ଏଥିପାଇଁ ରାଜ୍ୟ ଉପରେ ବୋଝ ବଢୁଛି। ସେଥିପାଇଁ ଆଲୋଚନା କରାଯିବାକୁ ଆସନ୍ତକାଲିର ସର୍ବଦଳୀୟ ବୈଠକ ଡକାଯାଇଛି ବୋଲି ସେ କହିଛନ୍ତି।