ଅସୁର‍କ୍ଷିତ ଆଠଗଡ଼: ପୋଲିସ୍ ଛତ୍ରଛାୟା ତଳେ ବୁଲୁଛନ୍ତି ଅପରାଧୀ !

ଆଠଗଡ଼ (ନୀଳକଣ୍ଠ ଦୋରା): ଆଠଗଡ଼ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି ବୋଲି ଅଭିଯୋଗ କରିଛି ବିଜେପି। ଦଳ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଆହୁରି ଅନେକ ସାଂଘାତିକ ଅଭିଯୋଗ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର କଟକ ଜିଲ୍ଲା ସାଧାରଣ ସଂପାଦକ ରାମ ନାରାୟଣ ମହାନ୍ତି ଅଭିଯୋଗ କରିଛନ୍ତି, ଦିନ ଦ୍ୱିପହରରେ ଆଠଗଡ଼ ବ୍ଲକ ପରିସରରେ ପୋଲିସ ଉପସ୍ଥିତିରେ ବୋମା ଫୁଟିଲା। ପଞ୍ଚାୟତ ନିର୍ବାଚନ ବେଳେ ଫାଙ୍କା ଗୁଳି ଚାଳନା ହୋଇଥିଲା। ଏକ ଶୋଭାଯାତ୍ରାରେ ବିଜେପି ଗାଡ଼ି ଭଙ୍ଗାରୁଜା କରାଗଲା। ଏମିତି ଅନେକ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ବରଂ ଅଭିଯୋକ୍ତଙ୍କୁ ପ୍ରଶ୍ରୟ ଦିଆଯାଉଛି ବୋଲି ବିଜେପି ଅଭିଯୋଗ ଆଣିଛି। ରାମ ନାରାୟଣ କହିଛନ୍ତି, କଟକ ଜିଲ୍ଲା ପରିଷଦ ଉପାଧ୍ୟକ ସୁନୀଲ ପରିଡ଼ାଙ୍କ ନାମରେ କେଶ୍‌ ଥିଲେ ମଧ୍ୟ ସେ ପୋଲିସ କାର୍ଯ୍ୟକ୍ରମରେ ଅତିଥି ସାଜିବା ଆଶ୍ଚର୍ଯ୍ୟର ବିଷୟ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗାମୀ ଦିନରେ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଦଳ ଚେତାବନୀ ଦେଇଛି। ତେବେ ଏ ସଂପର୍କରେ ପୋଲିସ୍ କିମ୍ବା କଟକ ଜିଲ୍ଲା ପରିଷଦ ଉପାଧ୍ୟକ ସୁନୀଲ ପରିଡ଼ାଙ୍କ ପ୍ରତିକ୍ରିୟା ମିଳିନାହିଁ।