ଏହିସବୁ ଗୁଣ ଥିଲେ ଆପଣ ବି ହୋଇପାରିବେ କଂସ ମହାରାଜ

ଭୁବେନଶ୍ୱର(ଓଡିଶା ରିପୋର୍ଟର): “ହାଃ ହାଃ ହାଃ….ମୁଁ ତ୍ରିପୁରବିଜୟୀ କଂସ। ଯାହା ବାହୁଛାୟା ତଳେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ।  ଯେଉଁ କଂସ ଇଚ୍ଛା କଲେ ଭାଙ୍ଗିପାରେ ନବଖଣ୍ଡ ପୃଥ୍ୱୀ, ତାକୁ ପୁଣି ମୃତ୍ୟ ଭୟ…। ହାଃ ହାଃ ହାଃ” …

ଏଭଳି ରୋଚକ ସଂଳାପ ଶୁଣି ଆପଣ ନିଶ୍ଚତ ବୁଝିଯାଉଥିବେ ଆମ କାହା କଥା କହିବାକୁ ଯାଉଛୁ । ମହାରାଜ କଂସଙ୍କର କଥା । ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଭୁମିକାରେ ଅବତୀର୍ଣ୍ଣ ହେଉଥିବା କଳାକାଙ୍କ ତୁଣ୍ଡରୁ ଯେବେ ଏହି କଥା ଭାସିଆସେ ସେତେବେଳ ଉପସ୍ଥିତ ଦର୍ଶକଙ୍କ ଭିତରେ ରୋମାଞ୍ଚ ଖେଳିଯାଏ। ଆପଣ କଂସ ହେବାକୁ ଚାହାନ୍ତି କି? ବରଗଡ ଧନୁଯାତ୍ରାର ମୁକ୍ତାକାଶ ମଞ୍ଚରେ ବସି ବଡ ବଡ ନେତା, ପଦସ୍ଥ ଅଧିକାରୀଙ୍କୁ ଦଣ୍ଡିତ କରିବାକୁ ଚାହାନ୍ତି କି? ଯଦି ହଁ, ତା ହେଲେ ଚିନ୍ତା କରନ୍ତୁନି। ଏଥର ସୁଯୋଗ ଆପଣଙ୍କ ହାତରେ। ଯଦି ଚାହିଁବେ ଆପଣ ହିଁ ହେବେ ତ୍ରିପୁର ବିଜୟୀ ମହାରାଜ କଂସ। ତେବ ଏହି ଭୂମିକାରେ ଅଭିନୟ କରିବାକୁ କଣ ଦକ୍ଷତା ରହିବା ଆବଶ୍ୟକ ଆସନ୍ତୁ ଜାଣିବା ।

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଦୀର୍ଘ ୧୧ ଦିନ ଅନୁଷ୍ଠିତ ହୁଏ । ଏହି ଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ହିଁ ଚର୍ଚ୍ଚାରେ ରହିଥାନ୍ତି । ବିନା କୌଣସି ଲିଖିତ ସଂଳ୍ପାପରେ ଏଭଳି ଅଭିନୟ କରିବା ବେଶ୍‌ କାଠିକର ପାଠ। ତଥାପି ଏହି ଉତ୍ସବ ଓ ପରମ୍ପରା ଦୀର୍ଘ ଦିନ ଧରି ଅନୁଷ୍ଠିତ ହୋଇଛି। ଦୀର୍ଘ ୮ ବର୍ଷ ଧରି ଏହି ଯାତ୍ରାର କଂସ ଭୂମିକାରେ ଅବତୀର୍ଣ୍ଣ ହେଉଥିବା ହୃଷୀକେଶ ଭୋଇ ଏଥର ଏହି ଅଭିନୟ କରିବେ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଧନୁଯାତ୍ରା ମହୋତ୍ସବ ଲାଗି ଶୁଭସ୍ତମ୍ଭ ସ୍ଥାପନ ହୋଇ ସାରିଥିବା ବେଳେ ମୁଖ୍ୟ ଭୂମିକାକୁ ନେଇ ସୃଷ୍ଟି ହୋଇଛି ବିତର୍କ ।

କଂସ ଭୂମିକା ପାଇଁ ଅଭିନୟ କରିବାକୁ  ଆରମ୍ଭ ହେଉଛି ଅଡିସନ୍‌। ମଙ୍ଗଳବାର ଏହି ଭୂମିକା ପାଇଁ କଳାକାର ଚୟନ ହେବ। ବରଗଡ ଡିପିଇପି ହଲ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ଚୟନ ପ୍ରକ୍ରିୟାରେ ୨୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ଏହି କଳାକାରମାନଙ୍କ ଭିତରେ ରହିଛନ୍ତି ୨୪ ବର୍ଷ ଧରି ଏହି ମଞ୍ଚରେ ଅଭିନୟ କରିଥିବା ଗୋପାଳ ସାହୁ ଓରଫ୍‌ ଏଲି ଓ ହୃଷିକେଷ ଭୋଇ।

ଏହି ସବୁ ଗୁଣ ଥିଲେ ହୋଇପାରିବେ କଂସ

  • ଭଲ ସଂଳ୍ପାପ କହିପାରୁଥିବେ
  • ଶରୀର ଗଠନ ପୃଥଳ ତଥା କଂସ ଭୂମକା ଲାଗି ଯଥାର୍ଥ ହୋଇଥିବା ଆବଶ୍ୟକ
  • ଧର୍ମ ଓ ଆଧ୍ୟାତ୍ମିକତା ସମ୍ପର୍କରେ ଜ୍ଞାନ ଥିବା ଆବଶ୍ୟକ
  • ଦୀର୍ଘ ସମୟ ଧରି ଉତ୍ତମ ମାନସିକତାରେ ଉଚିତ୍‌ ନିର୍ଣ୍ଣୟ ନେଇପାରୁଥିବେ
  • ନିଜ ଭାଷା ଜ୍ଞାନ ଉପରେ ନିୟନ୍ତ୍ରଣ ରଖିପାରୁଥିବେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।