ଆୟୁଷ୍ମାନ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟୁଷ୍ମାନ ଯୋଜନା ବଦଳରେ ରାଜ୍ୟ ନିଜର ସ୍କିମ୍ ଲାଗୁ କରିବା ପାଇଁ ନିଷ୍ପତ୍ତି ପରେ ବିଜେପି ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି। ଆଜି ବିଜେଡି ମୁଖପାତ୍ର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆୟୁଷ୍ମାନ ଯୋଜନାକୁ ଅନୁକରଣ ଓ ହାଇଜାକ୍ ଅଭିଯୋଗ ମିଥ୍ୟା। ଆୟୁଷ୍ମାନ୍ ଏକ ଇନ୍ସୁରାନ୍ସ ଯୋଜନା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଏକ ସହାୟତା ଯୋଜନା ବୋଲି ସେ କହିଛନ୍ତି ।

SECC ତଥ୍ୟ ଅନୁସାରେ ଆୟୁଷ୍ମାନରେ ଓଡିଶାର ୬୧ ଲକ୍ଷ ପରିବାରକୁ ସାମିଲ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଥିଲା। ତେବେ ଏହି ଯୋଜନାରେ ୭୦ ଲକ୍ଷ ପରିବାରକୁ ସାମିଲ କରିବାକୁ ଦାବି ରଖିଥିଲା ଓଡ଼ିଶା। ହେଲେ କେନ୍ଦ୍ର ସରକାର ଓଡ଼ିଶାର ଏହି ଦାବିକୁ ଅଗ୍ରାହ୍ୟ କରିଦେଇଥିବା ବିଜେଡି କହିଛି। ସେପଟେ ବିଜେଡିର ଅଭିଯୋଗ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, SECC ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ବେଳେ ୭୦ ଲକ୍ଷ ପରିବାର ଆସିଲେ କେଉଁଠୁ? ରାଜ୍ୟରେ ଏବେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବା ଧର୍ମେନ୍ଦ୍ର ଅଭିଯୋଗ କରିବା ସହ ନବୀନଙ୍କୁ ଟାର୍ଗେଟ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୁଷ୍ମାନ ଯୋଜନା ବିଶ୍ୱର ହେଲ୍‌ଥ୍‌ କେଆର ସିଷ୍ଟମ ବୋଲି କୁହାଯାଉଛି। ଏହା ମାଧ୍ୟମରେ ଭାରତର ୧୦ କୋଟି ପରିବାର, ୫୦ କୋଟି ନାଗରିକ  ସ୍ୱାସ୍ଥ୍ୟ ସେବା ପାଇ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ ପାଇ ପରିବେ। ଯାହାର ଦାୟିତ୍ୱ ନେବେ ସରକାର।

ଧର୍ମେନ୍ଦ୍ର କହିଛନ୍ତି, “ପ୍ରେସ୍‌ କନେଏଫ୍ରେନ୍ସ ଜରିଆରେ ଆମେ ବୁଝିବାକୁ ଚେଷ୍ଟା କରୁଛୁ ଏହି ଯୋଜନାକୁ ଓଡ଼ିଶା ସରକାର କାହିଁକି ବିରୋଧ କରୁଛନ୍ତି। ଯଦି ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାକୁ ବାଧା ପହଞ୍ଚାଇବା  ତାହେଲେ ସେମିତି କରନ୍ତୁ ନାହିଁ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯଦି ବାସ୍ତବରେ ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଶାବାସୀଙ୍କୁ ଭଲ ପାଆନ୍ତି, ଆଉ ସେ ଓଡ଼ିଶାବାସୀଙ୍କ ପ୍ରିୟ ତେବେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଦିଅନ୍ତୁ। ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧ କରନ୍ତୁ ନାହିଁ। ଯାହା ଗାଳି, ନିନ୍ଦା କରିବା କଥା କରନ୍ତୁ, କିନ୍ତୁ ଓଡ଼ିଶାବାସୀ ତଥା ଗରିବମାନଙ୍କ ପାଇଁ ଏହାକୁ ବିରୋଧ କରନ୍ତୁ ନାହିଁ।”