ବଦଳିଲେ ଶର୍ମା, ଖୁରାନିଆ ନୂଆ ପୋଲିସ କମିଶନର

ଭୁବନେଶ୍ୱର: ରାଜ୍ୟ ବରିଷ୍ଠ ପୋଲିସ ଅଧିକାରୀସ୍ତରରେ ଗୁରୁବାର ଅଦଳବଦଳ ହୋଇଛି। ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସ୍ଥାନରେ ଟୁଇନ୍ ସିଟିର ନୂଆ କମିଶନର ହୋଇଛନ୍ତି ଯୋଗେଶ ବାହାଦୁର ଖୁରାନିଆ। ରାଜେନ୍ଦ୍ର ପ୍ରସାଦ ଶର୍ମା ହୋଇଛନ୍ତି ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ। ସେ ଡିଜି ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। କେବି ସିଂହ ପୋଲିସ ଡିଜି ହେବା ପରେ ୱାଇ ବି ଖୁରାନିଆ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ। କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ତାଙ୍କୁ ସ୍ପେଶାଲ୍ ଡିଜି କ୍ରାଇମ୍ ଭାବେ ନିଯୁକ୍ତି ଦିଆଯାଇଛି। କେବି ସିଂହ ନୂଆ ପୋଲିସ ଡିଜି ହେବା ପରେ ତାଙ୍କର ନୂଆ ଟିମ୍ ଗଠନ କରିବା ନେଇ ଚର୍ଚ୍ଚା ଲାଗି ରହିଥିଲା।

ଭିଜିଲାନ୍ସ ନିର୍ଦ୍ଦେଶକ ହେବା ପରେ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ ନୂଆ ଦାୟିତ୍ୱକୁ ସେ ସୂଚାରୁ ରୂପେ ତୁଲାଇବେ। ଭିଜିଲାନ୍ସ ମାମଲାଗୁଡ଼ିକରେ ଦଣ୍ଡବିଧାନ ହାର ବଢ଼ାଇବା ପାଇଁ ଚେଷ୍ଟା କରାଯିବ।  ସେହିପରି ଟ୍ରାପ୍ ଓ ଡିଏ ମାମଲାରେ ତଦନ୍ତର ମାନ ବୃଦ୍ଧି କରାଯିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।