ଭାରତ-ଜାପାନ ଟ୍ରାକ୍-୨ ଦ୍ୱିପାକ୍ଷିକ ଆଲୋଚନା: ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ସାଂସଦ ମାନଙ୍କର ଏକ ପ୍ରତିନିଧି ଦଳ ଜାପାନ ଗସ୍ତ କରିଛନ୍ତି। ଟୋକିଓରେ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଜାପାନ ଟ୍ରାକ୍-୨ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗ ଦେବା ପାଇଁ ଏହି ପ୍ରତିନିଧି ଦଳ ସେଠାକୁ ଯାଇଛନ୍ତି।  ଏହି ଗସ୍ତ ସମୟରେ ସାଂସଦ ପଣ୍ଡା ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଦୁଇ ଦେଶ ମଧ୍ୟରେ ଏହି ଆଲୋଚନାରେ ମୁଖ୍ୟତଃ ରାଜନୈତିକ, ଅର୍ଥନୈତିକ, ଅର୍ଥନୈତିକ ସହଯୋଗିତା, ଅନ୍ତର୍ଜାତୀୟ ନିରାପତ୍ତା ଓ ଶକ୍ତି ବିଷୟ ସ୍ଥାନ ପାଇବ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ।

ବୈଜୟନ୍ତଙ୍କ ସହ ସିକିମ ଡେମୋକ୍ରାଟିକ୍ ଫ୍ରଣ୍ଟର ମୁଖପାତ୍ର ତଥା ସାଂସଦ ପ୍ରେମଦାଦ ରାଏ, ତେଲୁଗୁ ଦେଶମ ପାର୍ଟି ସାଂସଦ ଜୟଦେବ ଗଲ୍ଲା, ବିଜେପି ସାଂସଦ ଭରତେନ୍ଦ୍ର ସିଂହ ଏବଂ କଂଗ୍ରେସ ସାଂସଦ ବିବେକ ତନଖା ପ୍ରମୁଖ ଜାପାନ ଗସ୍ତରେ ଯାଇଛନ୍ତି।