ଓଡ଼ିଶା ଓ କେନ୍ଦ୍ର ରାଜନୀତି ସମ୍ପର୍କରେ ଏମିତି ମତ ରଖିଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ବିଭିନ୍ନ ଦଳଙ୍କ ସ୍ଥିତି ନେଇ ବିଜେଡିରୁ ଓ କେନ୍ଦ୍ରାପଡ଼ା ସାଂସଦ ପଦରୁ ଇସ୍ତଫା ଦେଇଥିବା ବୈଜୟନ୍ତ ପଣ୍ଡା ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ବିଜେଡି ଏବେବି ସବୁଠୁ ବଡ଼ ରାଜନୈତିକ ଦଳ ହୋଇ ରହିଛି। କିଛି ବର୍ଷ ହେଲା ବିଜେପି ନିଜ କଳେବର ବୃଦ୍ଧି କରି ଦ୍ୱିତୀୟ ସ୍ଥାନରେ ପହଞ୍ଚି ପାରିଛି। ତେବେ କଂଗ୍ରେସକୁ ଅବଜ୍ଞା କରି ହେବ ନାହିଁ। କାରଣ ଗାଁ ଗାଁରେ ଦଳର ସଂଗଠନ ରହିଛି। ନୂଆ ପିସିସି ସଭାପତି ନିର୍ବାଚିତ ହେବା ପରେ ଦଳ ଉତ୍ସାହର ସହ କାମ କରୁଛି ବୋଲି ଏନଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ବୈଜୟନ୍ତ।

ସେହିପରି ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସେ ଆଜି ବି କାର୍ଡ ଖୋଲିନାହାନ୍ତି। ତାଙ୍କ ନିକଟରେ ରାଜନୀତି ବ୍ୟତୀତ ଅନ୍ୟ ବିକଳ୍ପ ଖୋଲା ଥିବା ବୈଜୟନ୍ତ କହିଛନ୍ତି। ଏହାସହ ନିଜ ଶୁଭେଚ୍ଛୁ, ରାଜନୈତିକ ସହଯୋଗୀ ଏବଂ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ପରାମର୍ଶ ନେଉଛନ୍ତି ବୋଲି ମତ ଦେଇଛନ୍ତି।

‘ମୋଦିଙ୍କ ବିରୋଧରେ ଏକାଠି ହେବା ଏତେ ସହଜ ନୁହେଁ’

ଜାତୀୟ ରାଜନୀତିରେ ମହାଗଠବନ୍ଧନ ସମ୍ଭାବନା ସଂପର୍କରେ ମଧ୍ୟ ବୈଜୟନ୍ତ ମତ ରଖିଛନ୍ତି। ସେ କହିଛନ୍ତି, “ଦଳୀୟ ଆଭିମୁଖ୍ୟ, ନୀତି ଓ ସ୍ୱାର୍ଥକୁ ଛାଡି ବିରୋଧୀଙ୍କୁ ଏକଜୁଟ୍ ହେବା ଓ ମୋଦିଙ୍କ ମୁକାବିଲା ଲାଗି ଏକ ମିଳିତ ଚେହେରା ଆଣିବାକୁ ପଡିବ। ତେବେ ଏହା ଏତେ ସହଜ ନୁହେଁ।”

ମୋଦିଙ୍କ ବିପକ୍ଷରେ ରାହୁଲ ଉପଯୁକ୍ତ ପ୍ରାର୍ଥୀ ହେବେ ନା ନାହିଁ ପ୍ରଶ୍ନର ସେ ସିଧାସଳଖ ଉତ୍ତର ଦେଇ ନଥିଲେ। ଅନ୍ୟପକ୍ଷରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ, ଅବିଚାରରେ ଅତିଷ୍ଠ ହୋଇ ସେ ବିଜେଡି ଛାଡିଥିବା ଦୋହରାଇଛନ୍ତି।