ଭଦ୍ରକ (ଓଡ଼ିଶା ରିପୋର୍ଟର): ବଢ଼ିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର। ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୧୭.୮୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି।
ବୈତରଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇଲେ ପୁଣି ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗତକାଲି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଜଳକା ନଦୀ ବନ୍ଧ ଭାଙ୍ଗି ଯାଇଥିଲା। ଏଥିଯୋଗୁ ଏକତାଳି ଗାଁ ନିକଟ ନଦୀବନ୍ଧରେ ୫୦୦ ଫୁଟର ଘାଇ ସୃଷ୍ଟି ହୋଇଥିଲା।