‘ବଜରଙ୍ଗୀ ଭାଇଜାନ’ର ବାସ୍ତବ ରୂପ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ

golu2
ପ୍ରଦୀପ ବରିହାଙ୍କ ପରିବାର ଲୋକଙ୍କ ସହ ଗୋଲୁ

ସୁନ୍ଦରଗଡ଼: ରୁପେଲି ପରଦାର କାହାଣୀ ବଜରଙ୍ଗୀ ଭାଇଜାନର ବାସ୍ତବ ରୂପ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ଏହି କାହାଣୀର ଦୁଇ ନାୟକ ହେଉଛନ୍ତି ପ୍ରଦୀପ ବରିହା ଓ ଗୋଲୁ। ବଜରଙ୍ଗୀ ଭାଇଜାନ (ସଲମନ ଖାଁ)ଙ୍କ ପରି ତଲସରା ଥାନା ତେଲିଯୋର ଗାଁର ପ୍ରଦୀପ ବରିହା ଜଣେ ନିଖୋଜ ବାଳକ (ଗୋଲୁ)କୁ ତାଙ୍କ ପରିବାର ଲୋକଙ୍କ ସହ ମିଶାଇବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ଉଦ୍ୟମରେ ଗୋଲୁ ନିଜ ଘର ଜବଲପୁରକୁ ଫେରିବାକୁ ସକ୍ଷମ ହୋଇଛି।

golu3
ବିଶେଷ ମୁହୂର୍ତ୍ତରେ ପାଳିତ ମାଆ ବାସନ୍ତୀଙ୍କ ସହ ଗୋଲୁ

ସେନାବାହୀନରେ ଜଣେ ଯବାନ ହେଉଛନ୍ତି ପ୍ରଦୀପ। ଦେଶ ସୁରକ୍ଷା ସହ ବାସ୍ତବ ଜୀବନରେ ସେ ଦେଇଛନ୍ତି ମାନବୀକତାର ପରିଚୟ। ୮ବର୍ଷ ପୂର୍ବେ ସେ ଟ୍ରେନରେ ଘରକୁ ଫେରୁଥିବା ବେଳେ ମଧ୍ୟପ୍ରଦେଶର କଟନୀ ପରେ ତାଙ୍କ ନଜର ଏକୁଟିଆ କାନ୍ଦୁଥିବା ଗୋଲୁ ଉପରେ ପଡିଥିଲା। ଆଖପାଖରେ ଖୋଜା ଖୋଜି କରିବା ପରେ ବି ଗୋଲୁ ସମ୍ପର୍କରେ କୌଣସି ତଥ୍ୟ ପ୍ରଦୀପ ପାଇ ନ ଥିଲେ। ଶେଷରେ ୮ ବର୍ଷର ଗୋଲୁକୁ ସେ ସାଙ୍ଗରେ ନିଜ ଗାଁ ତଥା ଘର ତେଲିଯୋରକୁ ନେଇ ଆସିଥିଲେ। ସେବେଠାରୁ ଗୋଲୁ ତାଙ୍କ ପରିବାରର ଜଣେ ସଦସ୍ୟ ଭଳି ରହି ଆସୁଥିଲା। ଏହା ମଧ୍ୟରେ ତାକୁ ନିଜ ପରିବାର ସହ ମିଶାଇବାକୁ ପ୍ରଦୀପ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ।

golu1
ଗୋଲୁ ସାଙ୍ଗମାନଙ୍କୁ ଭେଟି ବିଦାୟ ନେଉଛି

ପ୍ରଦୀପ କହିଛନ୍ତି, ଗୋଲୁ ଆମକୁ ଛାଡି ଚାଲିଯିବ ଏହା ଦୁଃଖ ଦେଉଛି। ହେଲେ ତାକୁ ତା’ର ପରିବାର ସହ ମିଶାଇବାକୁ ଯେଉଁ ଚେଷ୍ଟା କରୁଥିଲି ସେଥିରେ ସଫଳ ହୋଇଥିବାରୁ ଖୁସି ମଧ୍ୟ ଅଛି।

ପ୍ରଦୀପଙ୍କ ମାଆ ବାସନ୍ତୀ କହିଛନ୍ତି, ନିଜ ପୁଅ ଭଳି ରଖିଥିଲି। ଏବେ ସେ ଚାଲିଯିବ ଭାବିଲା ବେଳକୁ ରହି ହେଉନାହିଁ।

ଗୋଲୁ କହିଛି, ଏମାନେ ମୋ ପରିବାର ଲୋକ। ଏମାନଙ୍କୁ କେବେ ଭୁଲିବି ନାହିଁ। ଏଠାକୁ ସବୁବେଳେ ଯିବା ଆସିବା କରିବି।

୮ ବର୍ଷ ତଳେ ଗୋଲୁର ମାଆ, ପୁଅ ନିଖୋଜ ନେଇ ମଧ୍ୟପ୍ରଦେଶର ଗୋରା ଥାନାରେ ଅଭିଯୋଗ କରିଥିଲେ। ପ୍ରଦୀପ ମଧ୍ୟ ଗୋଲୁକୁ ପାଇବା ପରେ ସୁନ୍ଦରଗଡ଼ ତଳସରା ଥାନାରେ ଜଣାଇଥିଲେ। ପରେ ଗୋରା ଥାନା ପୋଲିସ୍, ଗୋଲୁ ସମ୍ପର୍କରେ ଜାଣିବା ପରେ ସେଠାରୁ ଦୁଇ ଥାନା ଅଧିକାରୀ ଓ ଗୋଲୁର ଭାଇ ପ୍ରଥମେ ତଲସରା ଥାନାକୁ ଆସିଥିଲେ।

golu
ନିଜ ଘରକୁ ଯିବା ପୂର୍ବରୁ ପାଳିତ ମାଆଙ୍କ ପାଦ ଛୁଇଁ ଗୋଲୁ ବିଦାୟ ନେଉଛି

ଗୋଲୁର ଭାଇ ନରେଶ ଯାଦବ କହିଛନ୍ତି, ଥାନା ବାବୁଙ୍କ ପାଖରୁ ଖବର ପାଇବା ପରେ ଏଠାକୁ ଆସିଥିଲି। ଏତେଦିନ ପରେ ତାକୁ ପାଇ ବହୁତ ଖୁସି ଲାଗୁଛି। ସାଥୀରେ ନେଇଯାଉଛି। ତାକୁ ସେଠାରେ ଭଲ ନ ଲାଗିରେ ଆଣି ଏଠାରେ ଛାଡିଦେଇ ଯିବି।

ମଧ୍ୟପ୍ରଦେଶ, ଗୋରା ଥାନା ସହକାରୀ ଅଧିକାରୀ ଭତ୍ତୁଲାଲ ଧୁରୁବେ କହିଛନ୍ତି, ପ୍ରଦୀପ ବରିହା ଗୋଲୁ ସମ୍ପର୍କରେ ଜବଲପୁର କଣ୍ଟ୍ରୋଲରୁମକୁ ସୂଚନା ଦେଇଥିଲେ। ଏହାକୁ ଆଧାର କରି ଆମେ ଏଠାରେ ପହଞ୍ଚିବାକୁ ସକ୍ଷମ ହେଲୁ।