ଜାଲ୍‌ ଟିଡିଆର୍‌: ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ପୋଲିସ୍‌ ଛାନ୍‌ଭିନ୍‌

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ଜାଲ୍‌ ଟିଡିଆର୍‌ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି। ପୋଲିସ ପୂର୍ତ୍ତବିଭାଗ କାର୍ଯ୍ୟାଳୟରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିଛି। ତେବେ ଏହି ଦୁର୍ନୀତିକୁ ନେଇ ଏବେ ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି ଅଧୀକ୍ଷଣ ଯନ୍ତ୍ରୀ ଉପେନ୍ଦ୍ର କୁମାର ମୁଣ୍ଡ। ଠିକା ସଂସ୍ଥା ସୁରଜ ଏଣ୍ଟରପ୍ରାଇଜ୍‌ର ମାଲିକ ବଣ୍ଟି ଓ ତାଙ୍କ ବାପା ରାଜେନ୍ଦ୍ର ଅଗ୍ରଓ୍ୱାଲ ଜାଲ୍ ଟିଡିଆର ଦେଇଥିବା ଭବାନୀପାଟଣା ଏସ୍‌ବିଆଇ ମୁଖ୍ୟ ଶାଖା ପକ୍ଷରୁ ଜଣାଇ ଦିଆଯାଇଥିଲା। ମାତ୍ର ଅଧୀକ୍ଷଣ ଯନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲେ। ଏପରିକି ଠକେଇକୁ ନେଇ ପୋଲିସରେ ଅଭିଯୋଗ ନକରି ଅଧୀକ୍ଷଣ ଓଲଟା ୭ ଦିନ ମଧ୍ୟରେ ଟଙ୍କା ଜମା କରିଦେବା ପାଇଁ ବଣ୍ଟି ଓ ରାଜେନ୍ଦ୍ରଙ୍କୁ ଚିଠି ଲେଖିଥିଲେ। ଏଥିରୁ ତାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଆଣିଥିଲା। ଅଗ୍ରଓ୍ୱାଲ ବାପ-ପୁଅ ଜାଲ୍ ଟିଡିଆର ଦେଇ ପୂର୍ତ୍ତ ବିଭାଗକୁ ପ୍ରାୟ ୧୨ କୋଟିର ଚୁନା ଲଗାଇଥିବା ଅଭିଯୋଗ ହୋଇଛି। ଏହାପରେ ସରକାର ଠିକାସଂସ୍ଥା ସୁରଜ ଏଣ୍ଟରପ୍ରାଇଜକୁ କଳା ତାଲିକାଭୁକ୍ତ କରିଛନ୍ତି।