ଏଠି ଘରୁ ବାଇକ୍‌ କାଢିବାକୁ ଡର ଲାଗୁଛି, କାରଣ ତେଲ ପାଇଁ ନୁହେଁ

ବଲାଙ୍ଗିର(ମନରଞ୍ଜନ ଯୋଶୀ): ଅପରାଧିଙ୍କ ଅମରାବତୀ ପାଲଟିଛି ବଲାଙ୍ଗିର। ଦିନ ଦ୍ୱିପ୍ରହରେ ଆଖି ପିଛୁଳାକେ ବାଇକ୍‌ ନେଇ ଫେରାର ମାରୁଛନ୍ତି ଲୁଟେରା । ଅନେକ ଲୁଟ ସି.ସି.ଟିଭି କ୍ୟାମେରାରେ କଏଦ ହୋଇଛି। କ୍ୟାମେରା ଫୁଟେଜ ସହ ଅଭିଯୋଗ ଦାଖଲ କରିଛନ୍ତି ଲୁଟର ଶିକାର ହୋଇଥିବା ଅନେକ ଲୋକ। କିନ୍ତୁ ପୁଲିସ ଚୁପ୍‌। ତେଣୁ ସହରକୁ ଆସୁଥିବା ଲୋକଙ୍କ ଭିତରେ ଭୟ ଓ ଆତଙ୍କ।

ସିସିଟିଭିରେ ଲୁଟ୍‌ର ଦୃଶ୍ୟ।

ବଲାଙ୍ଗିର ସହରର ଗୋଟିଏ ପ୍ରତିଷ୍ଠିତ ହୋଟେଲ ସାମ୍ନାର ଦୃଶ୍ୟ ଦେଖି ଜାଣନ୍ତୁ।  ରାତିରେ ପ୍ରଥମେ ଦୁଇଜଣ ବାଇକରେ ଆସିଲେ। ଜଣେ  ରହିଲା । ଆଉ ଜଣେ ଚାଲିଚାଲି ଗଲା। ହୋଟେଲ ପୋର୍ଟିକୋରୁ ମାଷ୍ଟର କିରେ ବାଇକର ଲକ ଖୋଲି ତଳକୁ ଆଣି, କିଛି ଦୂର ଗଡ଼ାଇ ନେଇ ଷ୍ଟାର୍ଟ କରି ଦୃତ ଗତିରେ ପଲାଇଗଲା । ଚୋର ଓ ଚୋରୀର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। କିନ୍ତୁ ବାବୁଙ୍କ ଭାଗ୍ୟ ଭଲ।  ଦୁଇଦିନ ପରେ କଲେଜ ଛକ ନିକଟରେ ଗାଡି ମିଲିଥିଲା। କାରଣ ବି ସ୍ପଷ୍ଟ। ମାଷ୍ଟର କିରେ ଲକ ଖୋଲି  ଷ୍ଟାର୍ଟ କରିଦେଲେ। କିନ୍ତୁ ତେଲ ଟାଙ୍କି ଖୋଲିଲା ନାହିଁ  । ତେଣୁ ତେଲ ସରିଯିବାରୁ ଗାଡି ଛାଡି ଫେରାର ଲୁଟେରା।

ସେହିପରି ଆଉ ଏକ ଘଟଣାକ୍ରମରେ  ଜଣେ ଯୁବକ ସହରରେ ଥିବା ହିରୋ ସୋରୁମକୁ ଆସିଥିଲେ।  ସୋରୁମ ସାମ୍ନାରେ ବାଇକ ରଖି, ଭିତରେ କାଗଜପତ୍ର କାମ କରୁଥିଲେ।  କିନ୍ତୁ ଆସିଲା ବେଳକୁ ବାଇକ ନେଇ ଫେରାର ଲୁଟେରା।  ସୋରୁମର ସିସିଟିଭି ଫୁଟେଜ ଦେଖିବାକୁ ଅନୁରୋଧ କରିବାରୁ  କ୍ୟାମେରା ଅଚଳ।ସେ ଏବେ ଟାଉନଥାନରେ ଅଭିଯୋଗ କରି  ନିରାଶ ହୋଇଛନ୍ତି।

ସେହିପରି  ଲୋଇସିଂହା ଥାନା ବୁର୍ଡା ଗାଁର ଘର ଭିତରୁ ରାତି ଦଶ ଟାରେ ଆରାମରେ ଆସି ମାଷ୍ଟର କି ରେ ଲକ ଖୋଲି, ଗାଡି ଷ୍ଟାର୍ଟ କରି ଫେରାର ଲୁଟେରା।  ଏବେ ଗାଁ ଠୁ ସହର, ସବୁଠି ମାତିଛନ୍ତି ବାଇକ ଲୁଟେରା।  ପ୍ରତିଦିନ ବାଇକ ଲୁଟର ଅଭିଯୋଗ ଆସୁଛି।  ବଲାଙ୍ଗିର ପୁଲିସ ପାଖରେ ମାଳମାଳ ସିସିଟିଭି ଫୁଟେଜ ଓ ଅଭିଯୋଗ। ହେଲେ ପୁଲିସକୁ ମାତ ଦେଇ ମାତିଛନ୍ତି ଲୁଟେରା । ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।