ବାହାଘର ପୂର୍ବରୁ ପଳାସ ଗଛରେ ଝୁଲିପଡ଼ିଲେ

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ଗତ କିଛି ଦିନ ତଳେ ନିର୍ବନ୍ଧ ସରିଥିଲା । ଦୁଇ ମାସ ପରେ ହୋଇ ଥାଆନ୍ତା ବାହାଘର । ବାଣ, ବାଜା ରୋଷଣୀରେ ଯାଇଥାନ୍ତେ ବର । କିନ୍ତୁ କଣ ହେଲା କେଜାଣି ନିଜ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କଲେ ଯୁବକ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବୁରୋଭାଡି ଗାଁରେ । ଶ୍ରମିକ ଭାବରେ କାମ କରୁଥିବା ସଚ୍ଚିଦାନନ୍ଦ ମାଝିଙ୍କ ଆସନ୍ତା ମେ ୩ ତାରିଖରେ ତରଭା ଥାନା ସରଗଜ ଗାଁରେ ବିବାହ ହୋଇଥାନ୍ତା ।

ଏନେଇ ନିର୍ବନ୍ଧ ମଧ୍ୟ ସରିଥିଲା । କିନ୍ତୁ ଆଜି ନିଜ ଚାଷ ଜମିର ଏକ ପଳାସ ଗଛରେ ବେକରେ ପିନ୍ଧା ଗାମୁଛା ଦେଇ ସଚ୍ଚିଦାନନ୍ଦ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଇଁନ୍ତଲା ପୁଲିସ ଶବ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ମୃତକଙ୍କ ପରିବାର ଲୋକେ ମଧ୍ୟ କିଛି କହୁନାହାନ୍ତି । ଦୁଇ ମାସ ପରେ ବାହାଘର ହେବାକୁ ଥିବା ବେଳେ କଣ ପାଇଁ ସଚ୍ଚିଦାନନ୍ଦ ଆତ୍ମହତ୍ୟା କଲେ ତାକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି । କିନ୍ତୁ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।