ଅତି ସନ୍ତର୍ପଣରେ ଆସି ରଂଜିତଙ୍କୁ ନେଇଗଲା ଯମ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କୁହାଯାଏ ଜନ୍ମ ଆଉ ମୃତ୍ୟୁ ମଣିଷ ହାତରେ ନଥାଏ । ଦଇବ ଯେବେ ଚାହିଁବ ଆରପାରିକୁ ନେଇଯିବ । ବେଳେ ବେଳେ ହଠାତ ମୃତ୍ୟୁ ବି ଏମିତି ଆସେ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହରରେ । ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଗାଡିର ସରକାରୀ ଡ୍ରାଇଭର ରଂଜିତ ପୁଟେଲଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ବଲାଙ୍ଗିର ସହର ମାଳପଡାରେ ରଂଜିତଙ୍କ ଘର । ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ତଥା ଶାନ୍ତଶିଷ୍ଟ ବ୍ୟକ୍ତି ଭାବରେ ସମସ୍ତଙ୍କୁ ଆପଣାର କରିଥିଲେ ଡ୍ରାଇଭର ରଂଜିତ । ସବୁଦିନ ଭଳି ଆଜି ବି ଠିକ ସମୟରେ ପୌରସଂସ୍ଥାର ଇ.ଓ ବିପିନ ବିହାରୀ ଦୀପଙ୍କୁ ଅଫିସକୁ ଆଣିବା ପାଇଁ ବୋଲେରୋ ଧରି ପ୍ୟାଲେସ ଲାଇନ ଠାରେ ଇ.ଓଙ୍କ ଘର ନିକଟକୁ ଯାଇଥିଲେ । ଇଓଙ୍କ ଘର ବାହାରେ ଗାଡି ରଖି ଗାଡିର ଡ୍ରାଇଭର ସିଟରେ ବସି ଇଓଙ୍କୁ ଅପେକ୍ଷା କରିଥିଲେ । ଟିକିଏ ସମୟ ମିଳିଥିବାରୁ ନିଜ ମୋବାଇଲକୁ ବାହାର କରି ଦେଖୁଥିଲେ । ତାପରେ ଇଓ ବିପିନ ଦୀପ ବାହାରକୁ ଆସି ଦେଖିବା ବେଳକୁ ଅଚେତ ହୋଇ ଡ୍ରାଇଭର ସିଟରେ ପଡିରହିଛନ୍ତି ରଂଜିତ ।

ସଂଗେ ସଂଗେ ପୌର ସଂସ୍ଥାର ଅନ୍ୟ ଷ୍ଟାପ ଏବଂ ପୁଲିସକୁ ଖବର ଦେଇ ରଂଜିତଙ୍କୁ ଡାକ୍ତରଖାନାକୁ ନେଇଥିଲେ । ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଜିଲ୍ଲାପାଳ ମଧ୍ୟ ପହଞ୍ଚି ଥିଲେ । ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲା ପୁଲିସ । ଏବେ ରଂଜିତଙ୍କ ତିନୋଟି ସନ୍ତାନ ଅନାଥ ହୋଇଯାଇଛନ୍ତି । ମାତ୍ର ୪୨ ବର୍ଷ ବୟସରେ ଆରପାରିକୁ ଚାଲିଗଲେ । ସେ ଡାଇବେଟିସ ଏବଂ ବ୍ଲଡପ୍ରେସରରେ ପୀଡିତ ଥିଲେ । ସେହି କାରଣରୁ ସେ ହୃଦଘାତରେ ପ୍ରାଣହରାଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୋଷ୍ଟ ମୋର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ । ମୃତ ରଂଜିତଙ୍କ ପରିବାରକୁ ରେଡକ୍ରସରୁ ତଥା ପୌର କର୍ମଚାରୀ ମାନଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।