ବାଲେଶ୍ୱର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ

ବାଲେଶ୍ୱର: ବାଲେଶ୍ୱରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଜି ସକାଳେ ୨ ଜଣ ଠିକା କର୍ମଚାରୀ ମୃତ୍ୟୁ ଘଟିଛି। ଏକ୍ସପୋ ମେଳା ଲାଗି ରାସ୍ତା କଡ଼ରେ ହୋଡ଼ିଂ ବାନ୍ଧୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତକ ଦ୍ୱୟ ହେଲେ ବାଲେଶ୍ୱର ସୁନାହଟ ଅଞ୍ଚଳର ଶେଖ ଅର୍ସଦ ଅଲ୍ଲୀ ଏବଂ ଶେଖ ରାଜନ।

ମେଳା ପାଇଁ ଆଇଟିଆଇ ପଡ଼ିଆ ନିକଟରେ ଟେଣ୍ଡ ବାନ୍ଧିବା ଦାୟିତ୍ୱ ଏକ ଠିକା ସଂସ୍ଥାକୁ ଦିଆଯାଇଥିଲା। ଉକ୍ତ ସଂସ୍ଥାର ଦୁଇଜଣ କର୍ମଚାରୀ ଅର୍ସଦ ଏବଂ ରାଜନ ହୋଡିଂ ବାନ୍ଧୁଥିଲେ। ଏହି ସମୟରେ କୌଣସି କାରଣରୁ ସେମାନେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ବର୍ଗଙ୍କୁ ସହାୟତା ଯୋଗାଇ ଦେବାକୁ ଠିକା କର୍ମଚାରୀମାନେ ଦାବି କରିଛନ୍ତି। ଏହାସହ ସୁରକ୍ଷା ଯୋଗାଇ ଦେବା ଦାବିରେ ଠିକା କର୍ମଚାରୀ କାମ ବନ୍ଦ କରିଛନ୍ତି।