ବାଲେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ: ୨ମୃତ, ୭ ଆକ୍ରାନ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କାସିମାବାଦରେ ଝାଡ଼ାବାନ୍ତିରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଅସୁସ୍ଥ ହୋଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକମାନେ ହେଲେ ବାସିନ୍ତୀ ସିଂ ଓ ତାଙ୍କ ଭାଇ ସୁକୁରା ସିଂ। ଖବର ପାଇ କାସିମାବାଦରେ ୨ଟି ଡାକ୍ତରୀ ଟିମ୍‌ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି ।

ଗତ ୨୧ ତାରିଖରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବାସିନ୍ତୀ ସିଂଙ୍କର ମୃତ୍ୟୁ ଘଟିଥିଲା। ବାସନ୍ତୀଙ୍କ ଭାଇ ସୁକୁରା ସିଂ ମଧ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ। କଟକ ସ୍ଥାନାନ୍ତର ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା।

ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ କାସିମାବାଦ ନିକଟରେ ନାଳ ପାଣି ନିଷ୍କାସନ ହୋଇପାରି ନ ଥିଲା।  ଗ୍ରାମବାସୀ ନାଳ ପାଣି ପିଇବାରୁ ଝାଡ଼ାବାନ୍ତି ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ଡାକ୍ତରୀ ଟିମ୍‌ ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି।