ବାଲେଶ୍ୱରରେ ୪ ଜଣଙ୍କୁ ହତ୍ୟା ଘଟଣାରେ ୫ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପାଗନଇ ଗାଁରେ ୪ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ଏହି ୫ ଜଣଙ୍କୁ ଧରିଥିଲା। ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ବାଲେଶ୍ୱର ପୋଲିସ ୩ଟି ଟିମ୍‌ ଗଠନ କରି ଘଟଣାର ତଦନ୍ତ ଚଳାଇଛି। ଏହାସହ ସାଇଣ୍ଟିଫିକ ଟିମ୍‌ ଓ ଡଗ୍‌ ସ୍କ୍ୱାର୍ଡ ସହାୟତାରେ ଘଟଣାର ତଦନ୍ତ କରାଯାଉଛି।

ଶୁକ୍ରବାର ରାତି ପ୍ରାୟ ଦୁଇଟା ବେଳେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ସେମାନଙ୍କର ଜଣେ ସଂପର୍କୀୟଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନେ ଅତି ବିଭତ୍ସ ଭାବେ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହତ୍ୟା କରିଥିଲେ। ମୃତକମାନେ ହେଲେ ପ୍ରତିଭା ମଣ୍ଡଳ, ତାଙ୍କ ପୁଅ ସୁଜନ ମଣ୍ଡଳ(୧୪), ଝିଅ ସୁମନ ମଣ୍ଡଳ(୧୮) ଏବଂ ମହିଳାଙ୍କ ଜଣେ ସମ୍ପର୍କୀୟଙ୍କ ପୁଅ।

ଦୁର୍ବୃତ୍ତମାନେ ପ୍ରତିଭାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ। ମୁଣ୍ଡଟି ଘର ଠାରୁ ପ୍ରାୟ ୧୦୦ ମିଟର ଦୂରରେ ପଡ଼ିଥିଲା।

ପୋଲିସ୍ ଘଟଣା ସ୍ଥଳରୁ ଗୋଟିଏ ଖଣ୍ଡା, ଗୋଟିଏ କଟୁରୀ ଓ ଗୋଟିଏ ଲାଠି ଜବତ କରିଛି। ଏହା ସହିତ ଗୋଟିଏ ଗୁଳି ମଧ୍ୟ ଜବତ କରାଯାଇଛି। ଦୁର୍ବୃତ୍ତମାନେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ଗୁଳିଟି କାହାରି ଦେହରେ ବାଜି ନ ଥିଲା।

ଜଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗୁଳି ଫୁଟିବା ଶବ୍ଦ ଶୁଣି ସେମାନେ ପ୍ରତିଭାଙ୍କ ଘର ପାଖକୁ ଆସି ଡାକ ପକାଇଥିଲେ। କେହି ନ ଶୁଣିବାକୁ କୌଣସି ଅଘଟଣ ଘଟିଥିବା ଆଶଙ୍କା କରି ପୋଲିସ୍‌କୁ ଖବର ଦେଇଥିଲେ। ତେବେ ଛଅ ସାତଟି ବାଇକ୍‌ରେ କିଛି ଦୁର୍ବୃତ୍ତ ଆସିଥିବା ଦେଖିଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି।