ସାମ୍ବାଦିକଙ୍କୁ ହାଣି ପକାଇଲେ

ସୋର (ଓଡ଼ିଶା ରିପୋର୍ଟ): ଏକ ଦୈନିକ ଖବରକାଗଜର ସାମ୍ବାଦିକ ପ୍ରମୋଦ ରାଉତଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ମଦ ମାଫିଆ। ସେ ବାଲେଶ୍ୱରରେ ସାମ୍ବାଦିକ ଭାବେ କାମ କରୁଛନ୍ତି। ମଦ କାରବାର ବିରୋଧରେ ଖବର ଛାପିଥିବାରୁ ପ୍ରମୋଦଙ୍କୁ ଏପରି ଆକ୍ରମଣ କରାଯାଇଛି।

ଗୁରୁତର ଅବସ୍ଥାରେ ପ୍ରମୋଦଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନନ୍ତପୁର ଘାଟ ଅଞ୍ଚଳ ଦେଇ ନିଜ ଭଉଣୀ ଘରକୁ ଯାଉଥିବାବେଳେ ମଦ ମାଫିଆମାନେ ବାଟରେ ତାଙ୍କୁ ଅଟକାଇ ଗାଳି ଗୁଳଜ କରିବା ସହିତ ଭୁଜାଲିରେ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସିଯିବାରୁ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।

ତେବେ ପ୍ରମୋଦଙ୍କୁ ଆକ୍ରମଣ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ବାଲେଶ୍ୱର ଜିଲ୍ଲାରେ ସାମ୍ବାଦିକମାନେ ଆକ୍ରମଣର ଶିକାର ହୋଇଛନ୍ତି। ପୂର୍ବରୁ ସୋର ଓ ବାଲିଆପାଳରେ ସାମ୍ବାଦିକଙ୍କୁ ମାଡ଼ ମରାଯାଇଥିଲା।