ବାଲୁଗାଁରେ ସିରିଜ୍‌ ଦୁର୍ଘଟଣାକୁ ନେଇ ଉତ୍ତେଜନା

nayagada1ନୟାଗଡ଼: ନୟାଗଡ଼ ଜିଲ୍ଲା ବାଲୁଗାଁରେ ହାଇୱା ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଘଟିଥିବା ସିରିଜ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ନୟାଗଡ଼-ଖଣ୍ଡପଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏକ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଦୁର୍ଘଟଣାରେ କୈଳାଶ ସାହୁ ଓ ଶରତ ନାୟକଙ୍କ ମୃତ୍ୟୁ ହୋଇଛି।

ଗତକାଲି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରୁ ଆସୁଥିବା ହାଇୱା ବରପଲ୍ଲିଠାରେ ଦୁର୍ଘଟଣା ଘଟାଇଥିଲା। ସେଠାରେ ଜଣେ ଆହତ ହୋଇଥିଲା। ପରେ ବାଲୁଗାଁ ବଜାରରେ ଏକ  ଅଟୋ ଓ ବାଇକ୍‌କୁ ଧକ୍କା ଦେଇ ଦୋକାନ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଠିଆ ହୋଇଥିବା କୈଳାଶଙ୍କ ମୃତ୍ୟୁ ହୋଇଥିବା ବେଳେ ଶରତଙ୍କ ସମେତ ଅନ୍ୟ ୨ ଜଣ ଆହତ ହୋଇଥିଲେ। ଶରତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଦାବି କରି ଉତ୍ତ୍ୟକ୍ତ ଲୋକେ ଗତକାଲି ରାତିରେ ରାସ୍ତାରୋକ କରିଥିଲେ। ନୟାଗଡ଼ ଏସ୍‌ଡିପିଓ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।