ବାଂଲାଦେଶୀ ଅନୁପ୍ରବେଶ ଚିନ୍ତା ତାଜା: ଡିଜିପିଙ୍କୁ ରିପୋର୍ଟ ମାଗିଲା ଗୃହ ବିଭାଗ

ଭୁବନେଶ୍ୱର: ପୋଲିସ ହାତରେ ୭ ବଲାଂଦେଶୀ ଧରା ପଡ଼ିବା ପରେ ପୁଣି ତାଜା ହୋଇଛି ଅନୁପ୍ରବେଶ ଚିନ୍ତା। ଏମାନଙ୍କ ଗତିବିଧି ଓ କାର୍ଯ୍ୟକଳାପ ସଂପର୍କରେ ପୋଲିସ ଡିଜିଙ୍କ ପାଖରୁ ସବିଶେଷ ତଥ୍ୟ ମାଗିଛି ଗୃହ ବିଭାଗ।

ପାସପୋର୍ଟ ପାଇଁ ଜାଲ ପ୍ରମାଣ ପତ୍ର ଦେବା ବେଳେ ପ୍ରଥମେ ସନ୍ଦେହକୁ ଆସିଥିଲା ବାଂଲାଦେଶୀ ଯୁବକ ବସିର। ପରେ ଗରିଫ ହୋଇଥିଲେ ତା’ର  ୬ ଜଣ ସହଯୋଗୀ।  ଏବେ ଏମାନଙ୍କୁ ଆଣିଥିବା ଦଲାଲକୁ ଖୋଜା ଚାଲିଛି। ଓଡ଼ିଶାରେ କାହା ସହ ଏମାନଙ୍କର ଲିଙ୍କ୍ ରହିଛି ସେନେଇ ଖୋଳତାଡ ଆରମ୍ଭ ହୋଇଛି। ଅଧିକ ପଚରାଉଚରା ପାଇଁ ଗିରଫ ମହମ୍ମଦ ବସିର ଓ ତାର ସହଯୋଗୀକୁ ରିମାଣ୍ଡରେ ଆଣିବ ପୋଲିସ। ସେପଟେ ପାସପୋର୍ଟ ପାଇଁ ବସିର ଦାଖଲ କରିଥିବା କଗଜପତ୍ରକୁ ପୋଲିସକୁ ହସ୍ତାନ୍ତର କରାଯାଇଛି।

ଅନେକ ସମୟରେ ରାଜ୍ୟ ଭିତରକୁ ବାଲାଂଦେଶୀ ଅନୁପ୍ରବଶ କରୁଥିବା ଅଭିଯୋଗ କରିଛି ଭାରତ ରକ୍ଷା ମଞ୍ଚ। ରାଜ୍ୟର ୮୬ଟି ସହରରେ ମଞ୍ଚ ସର୍ଭେ କରିଥିବା ବେଳେ ୭୦ ଟିରେ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଥିବା ଚିହ୍ନଟ କରିଛି। ଭାରତ ରକ୍ଷା ମଞ୍ଚର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅନୀଲ ଧିର କହିଛନ୍ତି ଯେ ତାଙ୍କ ମଞ୍ଚ ପକ୍ଷରୁ ଓଡ଼ିଶାର ୮୬ଟି ସହରରେ ଏକ ସର୍ଭେ କରାଯାଇଥିଲା। ଏଥିରୁ ୭୦ଟି ସହରରେ ବାଂଲାଦେଶୀ ରହୁଛନ୍ତି। ଏହି ସହରଗୁଡ଼ିକରେ ସେମାନଙ୍କୁ ଖୋଜିବାକୁ ପଡ଼ିବନି। ଏହି ସହରଗୁଡ଼ିକରେ ଯେକୌଣସି ରିକ୍ସାବାଲାକୁ କହିଲେ ସେ ନେଇ ବାଂଲାଦେଶୀ ବସବାସ କରୁଥିବା ବସ୍ତିରେ ପହଞ୍ଚାଇ ଦେବେ। କେବଳ ଭୁବନେଶ୍ୱରରେ ବେଆଇନ ଭାବେ ୫୦ ହଜାରରୁ ଅଧିକ ବାଂଲାଦେଶୀ ବସବାସ କରୁଛନ୍ତି।

ଅନୁପ୍ରବେଶ ନେଇ ଉପକୂଳ ସୁରକ୍ଷା ବ୍ୟବସ୍ଥା ପ୍ରତି ଆଙ୍ଗୁଳି ଉଠାଇଛି କଂଗ୍ରେସ। ବିଜେଡି ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ରାଜ୍ୟରେ କେତେ ଅନୁପ୍ରେବଶକାରୀ ବାଂଲାଦେଶୀ ରହୁଛନ୍ତି ତାର ସର୍ଭେ ହେବା ଦରକାର।

ଗୃହ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଏବେ ୩ ହଜାର ୯ଶହ ୮୭ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି। ଏମାନଙ୍କ ଭିତରୁ କେନ୍ଦ୍ରାପଡାରେ ୧୬ଶହ ୪୯ ଓ ଜଗତସିଂହପୁରରେ ୧୧ଶହ ୧୨ ଜଣ ଅଛନ୍ତି।