ବରଗଡ଼ ଧନୁଯାତ୍ରାର ଆଜି ସପ୍ତମ ଦିନ

ବରଗଡ଼: ବରଗଡ଼ ଧନୁଯାତ୍ରାର ଆଜି ସପ୍ତମ ଦିନ। ଗତକାଲି ମହାରାଜ କଂସଙ୍କ ଦରବାରକୁ ଏସପି ଓ ଜିଲ୍ଲାପାଳଙ୍କୁ ଡ଼କାଯାଇଥିଲା। କଂସ ମହାରାଜା ଜିଲ୍ଲାପାଳଙ୍କୁ ଜିଲ୍ଲାର ମରୁଡ଼ି ସମସ୍ୟା, ଧାନର ଅଭାବୀ ବିକ୍ରି ସହ ବିଭିନ୍ନ ଯୋଜନାରେ ଆର୍ଥ ବାଟମାରଣା ନେଇ ପ୍ରଶ୍ନ କରିଥିଲେ। ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ ଏ ନେଇ ନିଜର ଜବାବ ରଖିଥିଲେ।

ସେହିପରି ମଥୁରାର ଟ୍ରାଫିକ ନିୟନ୍ତ୍ରଣ ସହ ପୋଲିସ ବାହିନୀରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା କଥା ବୁଝିବାକୁ ଏସପି ଆଶିଷ ସିଂଙ୍କୁ ମହାରାଜ ନିର୍ଦ୍ଦେଶ ଦେଇଛନ୍ତି। ମହାରାଜାଙ୍କ ଆଦେଶକୁ ପାଳନ କରାଯିବ ବୋଲି ଏସପି କହିଛନ୍ତି।

ବରଗଡ଼ର ମୁକ୍ତାକାଶ ରଙ୍ଗମଞ୍ଚରେ ଜାରି ରହିଛି କଂସ ରାଜଙ୍କ ରାଜୁତି। ଗତକାଲି ମହାରାଜଙ୍କ ରାଜ ଦରବାରରେ ଅତିଥିଙ୍କ ଭିଡ଼ ଜମିଥିଲା। ରଙ୍ଗସଭାରେ କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିଲା। ସେହିପରି ଗୋପପୁରରେ କୃଷ୍ଣଙ୍କ ଲୀଳା ଚାଲିଛି। ଯମୁନାକୁ ସ୍ନାନ ପାଇଁ ଯାଇଥିବା ଗୋପାଙ୍ଗନାଙ୍କ ବସ୍ତ୍ରହରଣ କରିଛନ୍ତି ନଟଖଟ କାହ୍ନା।