ବଲାଙ୍ଗିରରେ ବରଗଡ଼ ଇଫେକ୍ଟ: ଟେନ୍‌ସନ୍ ଦେଉଛି ଲୋ ଭୋଲଟେଜ୍, ହାଇ ପେମେଣ୍ଟ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): କାହିଁକି ଆତ୍ମହତ୍ୟା କଲେ ବରଗଡ଼ର ଚାଷୀ ହାଡୁ ବଗର୍ତ୍ତି? ଏ ରହସ୍ୟମୟ ପ୍ରଶ୍ନ ଏବେ ବି ଉତ୍ତର ଅପେକ୍ଷାରେ। କାରଣ ଦିନକ ପୂର୍ବରୁ ଆତ୍ମହତ୍ୟାର କାରଣ ପାରିବାରିକ କଳହ କହୁଥିବା କୃଷିମନ୍ତ୍ରୀ ଆଜି ପୁଣି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଜିଲ୍ଲାପାଳଙ୍କୁ କହିଛନ୍ତି ନିଜେ ଯାଇ ତଦନ୍ତ କରିବାକୁ। ହୁଏତ ରିପୋର୍ଟ ଆସିବା ପରେ ସତ ସାମ୍ନାକୁ ଆସିବ। ହେଲେ ସତ ପଛର ସତ ହେଲା ଚାଷୀ ଏବେ ଅସହାୟ। କାରଣ ହାଡୁ ଆତ୍ମହତ୍ୟା […]

farmer

farmer

Rakesh Mallick
  • Published: Monday, 06 March 2017
  • Updated: 06 March 2017, 05:26 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): କାହିଁକି ଆତ୍ମହତ୍ୟା କଲେ ବରଗଡ଼ର ଚାଷୀ ହାଡୁ ବଗର୍ତ୍ତି? ଏ ରହସ୍ୟମୟ ପ୍ରଶ୍ନ ଏବେ ବି ଉତ୍ତର ଅପେକ୍ଷାରେ। କାରଣ ଦିନକ ପୂର୍ବରୁ ଆତ୍ମହତ୍ୟାର କାରଣ ପାରିବାରିକ କଳହ କହୁଥିବା କୃଷିମନ୍ତ୍ରୀ ଆଜି ପୁଣି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଜିଲ୍ଲାପାଳଙ୍କୁ କହିଛନ୍ତି ନିଜେ ଯାଇ ତଦନ୍ତ କରିବାକୁ। ହୁଏତ ରିପୋର୍ଟ ଆସିବା ପରେ ସତ ସାମ୍ନାକୁ ଆସିବ। ହେଲେ ସତ ପଛର ସତ ହେଲା ଚାଷୀ ଏବେ ଅସହାୟ। କାରଣ ହାଡୁ ଆତ୍ମହତ୍ୟା କରିବା ପଛରେ ରହିଛି ଲୋ ଭୋଲଟେଜ୍ ସମସ୍ୟା। ବିଲରେ ପାଣି ମଡାଇ ନପାରିବାରୁ ହାଡୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ହେଲେ ବରଗଡ଼ର ଏ କାହାଣୀ ଏବେ ବଲାଙ୍ଗିରରେ। ବିଲରେ ପାଣି ମାଡ଼ି ନଥିବାରୁ ମରୁଡ଼ିର ଶିକାର ଚାଷୀ। ଶହଶହ ଏକର ଧାନ ଫସଲ ଉଜୁଡି ଯିବାକୁ ବସିଲାଣି। ସେହି ସମାନ ଦୁର୍ଦ୍ଦଶା ଲୋ ଭୋଲଟେଜ୍। ପାଣି ମାଡୁନି ଜମିକୁ, ହେଲେ ବିଦ୍ୟୁତ୍ ବିଲ୍ ନାଁରେ, ଚାଷୀର ମୁଣି ଖାଲି ହୋଇଯାଉଛି।

ଚାଷୀ ମୁହଁରୁ ସମସ୍ୟାର କଥା ଶୁଣିବା ପରେ ଓଡିଶା ରିପୋର୍ଟରର ବଲାଙ୍ଗିର ଟିମ୍ ପହଞ୍ଚିଥିଲା ଗୁଡ଼ଭେଲା ବ୍ଳକର ତିଲ୍କାମାଲ ଗାଁରେ। ଗାଁ ମୁଣ୍ଡରେ ଚାଷ ଜମି। ଦେଖା ହୋଇଥିଲା ଜଣେ ଦିବ୍ୟାଙ୍ଗ ଚାଷୀ ଜଗନ୍ନାଥ ଦୀପ୍‌ଙ୍କୁ। ମୁଣ୍ଡ ଉପରେ ଟାଇଁ ଟାଇଁ ଖରା। ପାଦ ତଳ ଜମି ଫାଟି ଆଁ କରିଛି। ଆଉ ଜଗନ୍ନାଥଙ୍କ ମୁହଁସାରା ନିରାଶାର ପ୍ରତିଛବି। ପାଣି ବିନା ମରିଗଲାଣି ଚାଷ। ଅଧାରେ ରହି ଯାଇଛି ରୁଆ ବେଉଷଣ। ଜମି ଉପରେ ପଡ଼ି ରହିଛି ପହ୍ଲା। ଧାନ କ୍ଷେତ ପାଲିଟଛି ଗାଈଗୋରୁଙ୍କ ଚରାଭୂଇଁ। ଆଖି ଯୁଆଡ଼େ ବୁଲାଇବ, ଅଦିନିଆ ମରୁଡ଼ିର ଚିତ୍ର। ମାନବକୃତ ଏହି ମରୁଡ଼ିର ଶିକାର ହୋଇଛନ୍ତି ଗୁଡ଼ଭେଲା ବ୍ଳକର ଶହ ଶହ ଚାଷୀ।

ଆକଳନ ଅନୁଯାୟୀ ଚଳିତ ବର୍ଷ ୩ଶହ ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଗଲାଣି। କ୍ଷେତ ମୁଣ୍ଡରେ ଅକାତକାତ ପାଣି। ପମ୍ପ ଲାଗିଛି, ଟ୍ରାନସଫର୍ମର ବି ଅଛି। କିନ୍ତୁ ଜମିକୁ ପାଣି ମାଡୁନି। ବୁଝୁ ବୁଝୁ ଜାଣିବାକୁ ପାଇଥିଲୁ, ଲୋ ଭୋଲଟେଜ୍ ଯୋଗୁଁ ଚାଲି ପାରୁନି ପମ୍ପ, ଉଠି ପାରୁନି ପାଣି। ତେଣୁ ମଣିଷକୃତ ମରୁଡି ଯେ କେତେ ଗମ୍ଭୀର ହୋଇପାରେ, ତାହା ସ୍ପଷ୍ଟ ଜଣା ପଡି ଯାଉଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଚାଷୀ କିନ୍ତୁ ମାସକୁ ମାସ ବିଦ୍ୟୁତ୍ ବିଲ୍ ଗଣି ଚାଲିଛି। ପାଣି ପଂଚାୟତ ନାଁରେ ଆସିଥିବା ବିଦ୍ୟୁତ୍ ବିଲ୍ ଦେଖି ଆମେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ଗୁଡଭେଲ୍ଲା ବ୍ଲକର ଚାଷୀ ସମସ୍ୟାକୁ ଦେଖିବା ପରେ, ଆମ ଟିମ୍ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲା। ଜିଲ୍ଲାପାଳ ଆଶିଷ ଠାକରେ କହିଲେ, ଏନେଇ ତଦନ୍ତ କରାଯିବ।

ଜଣେ ଚାଷୀ ଆତ୍ମହତ୍ୟା କରିବା ପରେ ତଦନ୍ତ ସେହି ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ହୁଏ। ଗଣମାଧ୍ୟମରେ ଖବର ପ୍ରସାରଣ ବନ୍ଦ ହୋଇଗଲେ ତଦନ୍ତର ଆୟୁଷ ସରିଯାଏ। ହେଲେ ମୂଳ ସମସ୍ୟା ପାଖରେ ପହଞ୍ଚିବାକୁ କେହି ଚେଷ୍ଟା କରନ୍ତି ନାହିଁ। ହୁଏତ ବରଗଡର ହାଡୁ ବଗର୍ତ୍ତିଙ୍କ ମୃତ୍ୟୁ ପରେ ବଲାଙ୍ଗିରରେ ଯେ ଆଉ କେହି ଚାଷୀ ଆତ୍ମହତ୍ୟା ନକରନ୍ତୁ, ସେଥିପାଇଁ କାମ କରିବାର ସମୟ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos