ବାରିପଦା: ୩ ହାତୀଙ୍କ ମୃତଦେହ ଠାବ

ବାରିପଦା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନସ୍ଥ ଗୁରୁଗୁଡିଆ ରେଞ୍ଜର ଅଲକୁଦର ଜଙ୍ଗଲରେ ମା’ ହାତୀ ସହ ନବଜାତ ଛୁଆ ହାତୀର ଗଳିତ ମୃତଦେହ ଠାବ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ରହିଛି ଏହି ଜଙ୍ଗଲ। ଜଙ୍ଗଲ ବିଭାଗର ପାଟ୍ରୋଲିଂ ଟିମ୍ ଏହି ଦୁଇ ମୃତଦେହକୁ ଠାବ କରିଛନ୍ତି। ତେବେ ଘଟଣାସ୍ଥଳକୁ ଡିଏଫ୍ଓ, ଏସିଏଫ୍ ଏବଂ ଜଙ୍ଗଲ ବିଭାଗର ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିଛନ୍ତି। ମା’ ହାତୀର ବୟସ ୧୪ରୁ ୧୫ବର୍ଷ ହେବ। ପ୍ରସବ ପରେ ଉଭୟଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଶବବ୍ୟବଛେଦ ପରେ ହାତୀ ଦୁଇଟିର ମୃତଦେହକୁ ଅଲକୁଦର ଜଙ୍ଗଲ ଭିତରେ ପୋତି ଦିଆଯାଇଛି।

ସେହିପରି ବାରିପଦା ବନଖଣ୍ଡ ଅଧୀନ କପ୍ତିପଦା ରେଞ୍ଜର ହରିଡ଼ାଛୁଆ ଜଙ୍ଗଲରେ ଏକ ମାଇହାତୀର ମୃତଦେହ ଠାବ ହୋଇଛି। ଯାହାର ବୟସ ୧୨ରୁ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଜଣାପଡ଼ିନି।