ବାରିପଦା: କଦମ୍ବଡିହା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ମୃତ ଚାଷୀ ଜଣଙ୍କ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ କଦମ୍ବଡିହା ଗାଁର ଲକ୍ଷ୍ମଣ ମାଝି(୪୫)। ଆଜି ସକାଳେ ତାଙ୍କ ମୃତଦେହ ନିଜ ଜମି ନିକଟରେ ଥିବା ଏକ ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ଲାଗି ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ଲକ୍ଷ୍ମଣ ଗତବର୍ଷ ବାଙ୍ଗିରିପୋଷି ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୨୫ ହଜାର ଟଙ୍କା ଋଣ କରିଥିଲେ। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ହୋଇ ତାଙ୍କ ଫସଲ ଉଜୁଡି ଯାଇଥିଲା। ଋଣ ଶୁଝିବାକୁ ନେଇ କିଛିଦିନ ହେବ  ଚିନ୍ତାରେ ଥିଲେ। ଫଳରେ ଗତକାଲି ମାନସିକ ଭାରସାମ୍ୟ ହରାଇ ରଶି ଲଗାଇ ଆତ୍ମହତ୍ୟା କରି ଦେଇଥିଲେ ବୋଲି ମୃତ ଲକ୍ଷ୍ମଣଙ୍କ ଭାଇ ବଜନ ମୁର୍ମୁ କହିଛନ୍ତି।