ବାରିପଦା: ରାତିରେ ଛାତ୍ରୀମାନେ ଜିଲ୍ଲାପାଳଙ୍କ ଭେଟି ଅଭିଯୋଗ କରିବା ଘଟଣାର ତଦନ୍ତ ଆରମ୍ଭ

ବାରିପଦା: ହଷ୍ଟେଲ ପରିଚାଳିକାଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ୨୫ କି.ମି. ଚାଲି ଚାଲି ଯାଇ ପାକଟିଆ ସରକାରୀ ବାଳିକା ହାଇସ୍କୁଲର ଶତାଧିକ ଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଳିଆପଦା ବ୍ଲକ ଅନ୍ତର୍ଗତ ପାକଟିଆ ହାଇସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଅଧୀନରେ ଥିବା ଏହି ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚାରିବା ସହ ବୟାନ ରେକର୍ଡ କରାଯାଇଛି। ଏହାସହ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇ ପଚରାଉଚରା କରାଯାଇଛି।

ହଷ୍ଟେଲ ପରିଚାଳିକା ପଦ୍ମାବତୀ ରାଜ କହିଛନ୍ତି, ଛାତ୍ରୀମାନେ ବିଶୃଙ୍ଖଳିତ ହୋଇ ପଡିଥିଲେ। ତାଗିତ କରିବାରୁ ତାଙ୍କୁ ଖାତିର ନ କରି କିଛି ଲୋକଙ୍କ କଥାରେ ପଡି ଏଭଳି ପଦକ୍ଷେପ ନେଇଛନ୍ତି।

ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ କହିଛନ୍ତି, ଛାତ୍ରୀମାନଙ୍କଠାରୁ ମିଳିଥିବା ଦରଖାସ୍ତ ଓ ବୟାନକୁ ଯାଞ୍ଚ କରିଛି। ପିଲାମାନଙ୍କର ସେମିତି କିଛି ବଡ଼ ସମସ୍ୟା ନାହିଁ। ଏପରି ପଦକ୍ଷେପ ନେବାକୁ ସେମାନଙ୍କୁ ପ୍ରବର୍ତ୍ତା ଯାଇଥିଲା। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ମଙ୍ଗଳବାର ରାତି ପ୍ରାୟ ଗୋଟାଏରେ ହଷ୍ଟେଲର ୧୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ ୨୫ କି.ମି. ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ହଷ୍ଟେଲ ପରିଚାଳିକାଙ୍କ ନାଁରେ ଅଭିଯୋଗ କରିଥିଲେ। ସମସ୍ୟା ସମାଧାନର ପ୍ରତିଶ୍ରୁତି ନ ମିଳବା ପର୍ଯ୍ୟନ୍ତ ସେମାନେ ହଷ୍ଟେଲ ନ ଯିବାକୁ ଯିଦ୍ ଧରି ବସି ରହିଲେ। ରାତି ପ୍ରାୟ ୨ଟାରେ ଜିଲ୍ଲାପାଳ ଛାତ୍ରୀଙ୍କ ସମସ୍ୟା ଶୁଣିବା ସହ ଶୀଘ୍ର ସମାଧାନ ଲାଗି ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଫେରିଥିଲେ।