ବସନ୍ତ ପଣ୍ଡା ହୋଇପାରନ୍ତି ରାଜ୍ୟ ବିଜେପି ନୂଆ ମଙ୍ଗୁଆଳ

ଭୁବନେଶ୍ୱର; ବସନ୍ତ ପଣ୍ଡା ହୋଇପାରନ୍ତି ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ। ବସନ୍ତ ରାଜ୍ୟ ସଭାପତି ହେବା ନେଇ ଦଳରେ ସହମତି ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଦଳର ସମ୍ୱିଧାନ ଅନୁସାରେ ଆସନ୍ତା ଗୁରୁବାର ସଭାପତି ପଦ ପାଇଁ ନିର୍ବାଚନ ହେବ। ଏକରୁ ଅଧିକ ନାମାଙ୍କନ ପତ୍ର ଆସିଲେ ନିର୍ବାଚନର ହେବ। ତେବେ ନିର୍ବାଚନକୁ ଯେମିତି ଦୂରେଇ ରଖାଯିବ ସେଥିପାଇଁ ଦଳୀୟ ନେତୃତ୍ୱ ଉଦ୍ୟମ ଚଳାଇଛନ୍ତି।

୩୦ଟି ସାଂଗଠନିକ ଜିଲ୍ଲାର ସଭାପତି ଚୟନ ପରେ ଦଳ ପକ୍ଷରୁ ଆସନ୍ତା ଗୁରବାର ସଭାପତି ନିର୍ବାଚନ କରାଯିବାକୁ ଦିନ ଧାର୍ଯ୍ୟ ହୋଇଛି। ସେହିଦିନ ମନୋନୟନ ପତ୍ର ଦାଖଲ ହେବ। ଏକରୁ ଅଧିକ ମନୋନୟନ ଦାଖଲ ହେଲେ ନିର୍ବାଚନ କରାଯିବ। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସରୋଜ ପାଣ୍ଡେ ନିର୍ବାଚନ ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି।

ବିଜେପି ନିର୍ବାଚନ ଅଧିକାରୀ ରାଜକିଶୋର ଦାସ କହିଛନ୍ତି, ରାଜ୍ୟ ପରିଷଦର ସଦସ୍ୟ ଏଥିରେ ଭୋଟ୍ ଦେବେ। ଯଦି ଅଧିକ ନାମାଙ୍କନପତ୍ର ଆସିବ ତେବେ ପରଦିନ ନିର୍ବାଚନ ଅନୁଷ୍ଠିତ ହେବ।

ବିଜେପିର ପରମ୍ପରା କହୁଛି ନିର୍ବାଚନ ନୁହେଁ, ସହମିତିରେ ହେବ ସଭାପତି ଚୟନ। ପ୍ରତି ୩ ବର୍ଷରେ ରାଜ୍ୟ ସଭାପତି ନିର୍ବାଚିତ ହେଉଥିବା ବେଳେ ବସନ୍ତ ପଣ୍ଡାଙ୍କ ସମେତ ପ୍ରତାପ ଷଡ଼ଙ୍ଗୀ, ବିଜୟ ମହାପାତ୍ର ଓ ଏବେ ସଭାପତି ଥିବା କନକବର୍ଦ୍ଧନ ସିଂହଦେଓଙ୍କ ନାଁ ନେଇ ଚର୍ଚ୍ଚା ହେଉଥିଲା। ତେବେ ବସନ୍ତଙ୍କ ନାଁକୁ ନେଇ ସହମତି ସମ୍ଭାବନା ଅଧିକ ବୋଲି କୁହାଯାଉଛି।