ଯୁବ ନେତାଙ୍କୁ ବସନ୍ତଙ୍କ ଗୁରୁତ୍ୱ; ପୁରୁଖା ଖପା

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଗତକାଲି ତାଙ୍କର ନୂଆ ଟିମ୍ ଘୋଷଣା କରିଥିଲେ। ୧୦ ଜଣ ଉପ-ସଭାପତି, ୧୦ ଜଣ ସଂପାଦକ ଓ ୪ ଜଣ ସାଧାରଣ ସଂପାଦକଙ୍କୁ ନେଇ ସେ ଗଠନ କରିଥିବା ଟିମ୍‌ରେ ଯୁବ ନେତାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏପରିକି ୨୦୧୪ ନିର୍ବାଚନରେ ହାରିଯାଇଥିବା ୧୨ ନେତାଙ୍କୁ ବି ଦାୟିତ୍ୱ ଦେଇଛନ୍ତି। କିନ୍ତୁ ପୁରୁଖା ନେତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦେଇ ନାହାନ୍ତି ବସନ୍ତ। ଆଉ ଏହାକୁ ନେଇ ଏବେ ରାଜନୈତିକ […]

basanta1

basanta1

Rakesh Mallick
  • Published: Monday, 07 March 2016
  • Updated: 07 March 2016, 05:09 PM IST

Sports

Latest News

basanta1ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଗତକାଲି ତାଙ୍କର ନୂଆ ଟିମ୍ ଘୋଷଣା କରିଥିଲେ। ୧୦ ଜଣ ଉପ-ସଭାପତି, ୧୦ ଜଣ ସଂପାଦକ ଓ ୪ ଜଣ ସାଧାରଣ ସଂପାଦକଙ୍କୁ ନେଇ ସେ ଗଠନ କରିଥିବା ଟିମ୍‌ରେ ଯୁବ ନେତାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏପରିକି ୨୦୧୪ ନିର୍ବାଚନରେ ହାରିଯାଇଥିବା ୧୨ ନେତାଙ୍କୁ ବି ଦାୟିତ୍ୱ ଦେଇଛନ୍ତି। କିନ୍ତୁ ପୁରୁଖା ନେତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦେଇ ନାହାନ୍ତି ବସନ୍ତ। ଆଉ ଏହାକୁ ନେଇ ଏବେ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ପୂର୍ବତନ ମନ୍ତ୍ରୀ ସମୀର ଦେ, ସୁରମା ପାଢ଼ୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝି, ରୁଦ୍ରନାରାୟଣ ପାଣି ଓ ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ପୂର୍ବତନ ରାଜ୍ୟ ବିଜେପି ସଭାପତି କେ.ଭି ସିଂହଦେଓଙ୍କ ଟିମ୍‌ରେ ଉପସଭାପତି ଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କାହାରିକୁ ବସନ୍ତ ନିଜ ଟିମ୍‌ରେ ରଖି ନାହାନ୍ତି। ଏମାନଙ୍କୁ ଦଳର ୩୮ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ କରାଯାଇଛି।

ସେହିଭଳି କେଭିଙ୍କ ଟିମ୍‌ରେ ସାଧାରଣ ସଂପାଦକ ଥିବା ମନମୋହନ ସାମଲ ଓ ମୋହନ ମାଝିଙ୍କୁ ବି କୌଣସି ଦାୟିତ୍ୱ ଦେଇ ନାହାନ୍ତି ବସନ୍ତ ପଣ୍ଡା। ଏହି ଦୁଇ ନେତାଙ୍କୁ ବି ସେ ୩୮ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତାଲିକାରେ ସ୍ଥାନିତ କରିଛନ୍ତି।

ଦଳର ପୂର୍ବତନ ଉପ-ସଭାପତି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,“ଟିମ୍ ଗଠନ କରିବା ନେଇ ସଭାପତିଙ୍କର ବିଶେଷ ଅଧିକାର ରହିଛି। ନିଶ୍ଚିତ ଭାବେ ସେ ସମସ୍ତଙ୍କ ସହିତ ପରାମର୍ଶ କରିବା ପରେ ନିଜ ଟିମ୍ ଗଠନ କରିଥିବେ। ସେ ଯୁବ ନେତାମାନଙ୍କୁ ଟିମ୍‌ରେ ନେଇଛନ୍ତି। ସେମାନଙ୍କର ମଧ୍ୟ ଅଭିଜ୍ଞତା ରହିଛି। ସେହିମାନଙ୍କୁ ନେଇ ଦଳକୁ ଆଗକୁ ବଢ଼ାଇବାକୁ ସେ ନିଷ୍ପତ୍ତି ନେଇଥିବେ।”

ଅନ୍ୟପକ୍ଷରେ ରାଜନୈତିକ ସମୀକ୍ଷକମାନେ କହିଛନ୍ତି ଯେ ବସନ୍ତଙ୍କ ନୂଆ ଟିମ୍‌ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା ବାରି ହୋଇପଡ଼ିଛି। ଏହା କିଛି ପୁରୁଖା ନେତାଙ୍କୁ କ୍ଷୁବ୍ଧ କରିଛି।

ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି,“ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ରାଜ୍ୟ ବିଜେପିର ଭବିଷ୍ୟତର ନେତା। ତେଣୁ ସେ ଏମିତି ଏକ ଟିମ୍ ଗଠନ କରିବାକୁ ଚାହୁଁଛନ୍ତି ଯେଉଁମାନେ କି ତାଙ୍କୁ ମାନିବେ ଓ ତାଙ୍କ ଆନୁଗତ୍ୟକୁ ସ୍ୱୀକାର କରିବେ। ସେମାନଙ୍କୁ ନେଇ ସେ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଏହା କିଛି ବରିଷ୍ଠ ନେତାଙ୍କୁ କ୍ଷୁବ୍ଧ କରିଛି। ଯଦି ଏହି ପୁରୁଖା ନେତାମାନେ ଚୁପ୍ ହୋଇ ବସି ଯିବେ,ତା’ହେଲେ ଅନେକ ସ୍ଥାନରେ ଦଳ କ୍ଷତି ସହିବ।”

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ଟିମ୍ ଗଠନ କରିବା ସଂପୂର୍ଣ୍ଣ ଭାବେ ସଭାପତିଙ୍କ ନିଜସ୍ୱ ଅଧିକାର। ସେ ଯେଉଁମାନଙ୍କୁ ନେଇ କାମ କରିପାରିବେ ବୋଲି ଭାବିଛନ୍ତି, ସେମାନଙ୍କୁ ଟିମ୍‌ରେ ସାମିଲ କରିଛନ୍ତି। ଏହା ସହିତ ଦଳକୁ ଆଗେଇ ନେବାକୁ ଅନ୍ୟମାନଙ୍କର ସହଯୋଗ ଲୋଡ଼ିଛନ୍ତି।”

ବିଜେପିର ସମ୍ବିଧାନ ଅନୁସାରେ ଦଳର ପୂର୍ବତନ ସଭାପତିଙ୍କଠାରୁ ଆରମ୍ଭ କରି ପୂର୍ବତନ ବିଧାୟକ ଓ ସାଂସଦ ଏଭଳି ମୋଟ ୩୮ ଜଣଙ୍କୁ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତାଲିକାରେ ସ୍ଥାନ ଦିଆଯାଇଛି। ଏମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, କେଭି ସିଂଦେଓ, ବିଶ୍ୱଭୂଷଣ ହରିଚନ୍ଦନ, ଦିଲୀପ ରାୟ, ବିଜୟ ମହାପାତ୍ର, ଜୟନାରାୟଣ ମିଶ୍ର, ପ୍ରଦୀପ ପୁରୋହିତ, ବିଭୂତିଭୂଷଣ ହରିଚନ୍ଦନ, ସଙ୍ଗୀତା ସିଂଦେଓ, କୁମୁଦୁନୀ ପଟ୍ଟନାୟକ, ରୁଦ୍ରମାଧବ ରାୟ, ମହମ୍ମଦ ରଫିକ୍‌, କନ୍ଦ୍ରା ସୋରେନ, ସିଦ୍ଧାର୍ଥ ଶେଖର ସିଂ, ଜିତେନ୍ଦ୍ର ମିତ୍ର, କରେନ୍ଦ୍ର ମାଝି, ସାରଙ୍ଗଧର କାଦ୍ରାକା, ପ୍ରସନ୍ନ ପଟ୍ଟନାୟକ, ସଞ୍ଚିତା ମହାନ୍ତି, ଭାସ୍କର ମଢେଇ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, ସୁଷମା ପଟେଲ ଓ ବାଇଧର ମଲ୍ଲିକ ପ୍ରମୁଖ ରହିଛନ୍ତି।

ବସନ୍ତଙ୍କ ନୂଆ ଟିମ୍‌ରେ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ରଞ୍ଜନ ପଟେଲ ଏବଂ ଅନନ୍ତ ନାଏକ ସାଧାରଣ ସଂପାଦକ ହୋଇଥିବା ବେଳେ ସମୀର ମହାନ୍ତି, ରାଜକିଶୋର ଦାସ, ସୁକେଶୀ ଓରାମ, ନୟନ ମହାନ୍ତି, ବିଷ୍ଣୁ ସେଠୀ, ନମିତା ସାହୁ, ଅଶ୍ୱିନୀ ଷଡ଼ଙ୍ଗୀ ଉପ ସଭାପତି ହୋଇଛନ୍ତି। ଲେଖାଶ୍ରୀ ସାମନ୍ତସିଂହାର, ଦିଲ୍ଲୀପ ମଲ୍ଲିକ, ଶୋଭନା ମହାନ୍ତି, ଶିଶିର ଗମାଙ୍ଗ, ଯତୀନ୍‌ ମହାନ୍ତି, ସବିତା ନନ୍ଦ, କାଳନ୍ଦୀ ସାମଲ, ଧୀରେନ ସେନାପତି, ସିମନ୍ତିନୀ ଜେନା ଏବଂ ବିଭୂତି ଜେନାଙ୍କୁ ସମ୍ପାଦକ କରାଯାଇଛି।  ସୁଦର୍ଶନ ଗୋଏଲ କୋଷାଧ୍ୟକ୍ଷ ହୋଇଛନ୍ତି। ପ୍ରସନ୍ନ ମିଶ୍ରଙ୍କ ସ୍ଥାନରେ ଶାରଦା ଶତପଥୀଙ୍କୁ ରାଜ୍ୟ ସଂଗଠନ ସମ୍ପାଦକ କରାଯାଇଛି। ଶିବାଜୀ ମହାନ୍ତିଙ୍କୁ କୃଷକ ମୋର୍ଚ୍ଚା ସଭାପତି, ବିଧାୟକ ରବି ନାୟକଙ୍କୁ ଅନୂସୁଚିତ ଜନଜାତି ମୋର୍ଚ୍ଚା ସଭାପତି, ବିଧାୟକ ଗୋବିନ୍ଦ ଦାସଙ୍କୁ ଅନୂସୁଚିତ ଜାତି ମୋର୍ଚ୍ଚା ସଭାପତି, ସେକ୍‌ ମହତାବ ମହମ୍ମଦଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଏବଂ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଓବିସି ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଟଙ୍କଧର ତ୍ରିପାଠୀଙ୍କୁ ଯୁବମୋର୍ଚ୍ଚା ସଭାପତି କରାଯାଇଛି। ପ୍ରଭାତୀ ପରିଡାଙ୍କୁ ମହିଳା ମୋର୍ଚ୍ଚା ସଭାନେତ୍ରୀ କରାଯାଇଛି।

ସଜ୍ଜନ ଶର୍ମା, ସୁଦୀପ୍ତ ରାୟ, ଗୋଲକ ପ୍ରସାଦ ମହାପାତ୍ର ଏବଂ ଦିଲୀପ ମହାନ୍ତିଙ୍କୁ ଦଳର ମୁଖ୍ୟପାତ୍ର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos