ବୈଜୟନ୍ତଙ୍କ ଚିଠି ପରେ ରେଳ ବିଭାଗର ପଦକ୍ଷେପ: ଚେନ୍ନାଇରେ ଫସିଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍

odiya in chennai-2ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚେନ୍ନାଇରେ ଫସିଥିବା ୨୫୦ ଓଡ଼ିଆ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି ରେଳ ବିଭାଗ। ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଚିଠି ଲେଖିବା ପରେ ରେଳ ବିଭାଗ ଏହି ପଦକ୍ଷେପ ନେଇଛି। ଏହି ଟ୍ରେନ ଆସନ୍ତାକାଲି ଚେନ୍ନାଇଠାରୁ ୩ କିଲୋମିଟର ଦୂର ବିଚ୍ ଷ୍ଟେସନରୁ ସକାଳ ୮ଟା ୨୦ରେ ଛାଡିବ। ଏହା ଭୁବନେଶ୍ୱର ହୋଇ କୋଲକାତା ଯିବ।

ଶ୍ରୀ ପଣ୍ଡା ରେଳମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ ତାଙ୍କ ନିର୍ବାଚନ ମଣ୍ଡଳୀ (କେନ୍ଦ୍ରାପଡ଼ା)ର ୨୫୦ ଜଣ ତୀର୍ଥଯାତ୍ରୀ ବନ୍ୟା ପ୍ରଭାବିତ ଚେନ୍ନାଇର ଇଗମୋର ଷ୍ଟେସନରେ ଫସି ରହିଛନ୍ତି। ବନ୍ୟା ଯୋଗୁଁ ଟ୍ରେନ୍ ଚଳାଚଳ ବାତିଲ କରି ଦିଆଯାଇଥିବାରୁ ଏହି ତୀର୍ଥଯାତ୍ରୀମାନେ ସେଠାରେ ଫସି ରହିଛନ୍ତି। ଏହି ତୀର୍ଥଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୨୦ ଜଣ ହେଉଛନ୍ତି ବୃଦ୍ଧବୃଦ୍ଧା। ବୟସାଧିକ ତଥା ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ରେଳ ଷ୍ଟେସନର ରହିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ତେଣୁ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ।