ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା, ଚିକିତ୍ସାରେ ଅବହେଳାକୁ ନିର୍ଦ୍ଦେଶକଙ୍କ ସ୍ୱୀକାର

ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ ରବିବାର ସକାଳେ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଥିଲା। ଆଇସିୟୁରେ ଭର୍ତ୍ତି ହୋଇଥିବା ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳର ଗୁଣଧର ଖଟେଇଙ୍କ ଗତକାଲି ରାତିରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପାଇବା ପରେ ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲରେ ଗଣ୍ଡଗୋଳ କରିଥିଲେ। ଗୁଣଧରଙ୍କ ବଡ଼ ପୁଅ କହିଛନ୍ତି ଯେ ଶ୍ୱାସ ଓ ହୃଦଘାତରେ ପୀଡ଼ିତ ତାଙ୍କ ବାପାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତି ପ୍ରାୟ ୮ଟା ବେଳେ ତାଙ୍କ ବାପାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ତେବେ ସେତେବେଳେ ଆଇସିୟୁ ଦାୟିତ୍ୱରେ ଥିବା ଡାକ୍ତର ଅନୁପସ୍ଥିତ ଥିଲେ। ଠିକ୍ ସମୟରେ ଚିକିତ୍ସା ନ ହେବାରୁ ତାଙ୍କର ପରଲୋକ ହୋଇଛି।

ଅନ୍ୟପକ୍ଷରେ ଗୁଣଧରଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ସ୍ୱୀକାର କରିଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ। ଡାକ୍ତରଖାନା ନିର୍ଦ୍ଦେଶକ ବିଶ୍ୱଭୂଷଣ ପଟ୍ଟନାୟକ କହିଛନ୍ତି, ଗୁଣଧରଙ୍କ ଚିକିତ୍ସାରେ ଅବହେଳା ହୋଇଛି। ଘଟଣାର ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ଅନୁଯାୟୀ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।