ମାଟିରେ ମିଶିଲା ତ୍ରାହି ଅଚ୍ୟୁତ ନଗରରେ ଗଢ଼ି ଉଠିଥିବା କୋଠା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଛେଦ ହେଉଛି ବହୁଚର୍ଚ୍ଚିତ ତ୍ରାହି ଅଚ୍ୟୁତ ଆଶ୍ରମ ନିକଟସ୍ଥ ତ୍ରାହି ଅଚ୍ୟୁତ ନଗର ଅଞ୍ଚଳ। ବେଆଇନ୍‌ କୋଠା ଗୁଡିକୁ ଆଜି ମାଟିରେ ମିଶା ଯାଉଛି। ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ବେଆଇନ୍‌ ଭାବେ ଗଢ଼ି ଉଠିଥିବା ଘର ଗୁଡ଼ିକୁ ଭଙ୍ଗା ଯାଇଛି।

ଭୁବନେଶ୍ୱର ଡେଭଲପ୍‌ ମେଣ୍ଟ ଅଥରିଟି(ବିଡିଏ)ର ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ନଗର ମୌଜାରେ ପ୍ରାୟ ୨୧ଟି ପ୍ଲଟ ରହିଛି। ଯେଉଁଠି ବେଆଇନ୍‌ ଭାବରେ ନିର୍ମିତ ହୋଇଛି କୋଠା। ଆଜି କମିଶନରେଟ୍‌ ପୁଲିସ ଓ ବିଡିଏ ଅଧିକାରୀମାନେ ଜେସିବି ମେସିନ୍‌ ଧରି ଅଚ୍ୟୁତ ନଗରରେ ପହଞ୍ଚିଥିଲେ। ବେଆଇନ୍‌ ଭାବେ ଗଢ଼ି ଉଠିଥିବା ଘର ଗୁଡ଼ିକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ବୁଝାସୁଝା ପରେ ଭାଙ୍ଗିବା ପାଇଁ ଅନୁମତି ଦେଇଥିଲେ। ତା’ପରେ ଘର ଗୁଡ଼ିକ ଭଙ୍ଗା ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ଟି ପ୍ଲଟ୍‌ରେ ନିର୍ମାଣ ହୋଇଥିବା ଘର ଭାଙ୍ଗିବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିଡିଏ ଅଧୀନକୁ ଆସିବା ପୂର୍ବରୁ ଗୃହ ନିର୍ମାଣ ହୋଇଥିଲା। ମାତ୍ର ଯେତେବେଳେ ବିଡିଏ ଅଧୀନକୁ ଆସିଲା, ସେତେବେଳେ ନୋଟିସ ବି କରାଯାଇନଥିଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ।

ଅନ୍ୟପକ୍ଷରେ ବିଡିଏ ଅଧିକାରୀ ରଞ୍ଜନ କୁମାର ଭୂୟାଁ କହିଛନ୍ତି, ୨୦୧୧ ମସିହା ଜାନୁଆରୀରେ ବିଡିଏ ଅଧୀନକୁ ଆସିଥିଲା ବିଲିଅନ୍ତା। ଏହା ପରେ ବିଡିଏରୁ ପ୍ଲାନ୍‌ ନନେଇ ଘର ନିର୍ମାଣ କରାଯାଇଥିଲା। ଯେଉଁଥିପାଇଁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏପରିକି ନୋଟିସ୍‌ କରାଯାଇଥିଲା। ହେଲେ ସେମାନେ କୌଣସି ଉତ୍ତର ଦେଇନଥିଲେ। ସେଥିପାଇଁ ଘର ଭାଙ୍ଗିବାକୁ ଆସିଛୁ। ୨୨ଟି ଘର ଭଙ୍ଗାଯିବାର ଥିଲା। ସେଥିରୁ ୧୦ଟି ଘର ଭାଙ୍ଗିବା ପାଇଁ ଅନୁମତି ମିଳିଛି ବୋଲି ଶ୍ରୀ ଭୂୟାଁ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।