ଦକ୍ଷିଣ ଓ ପଶ୍ଚିମରେ ଦୋହଲିଲାଣି ବିଜେଡି ଗଡ଼: ସଜାଡ଼ିବାକୁ କସରତ୍ , ଗଞ୍ଜାମରୁ ୮

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସାଂଗଠନିକସ୍ତରରେ ପ୍ରସ୍ତୁତି ଆରମ୍ଭ କରିସାରିଥିବା ଶାସକ ବିଜେଡିକୁ ନିଜସ୍ୱ ଗୁଇନ୍ଦା ରିପୋର୍ଟ ଏବେ ଚିନ୍ତାରେ ପକାଇଛି । ଦଳର ଗଡ଼ ଭାବେ ପରିଚିତ ଦକ୍ଷିଣ ଓଡ଼ିଶା ବିଶେଷକରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମରେ ସଂଗଠନ ଏଭଳି ବିପର୍ଯ୍ୟସ୍ତ ଆଡ଼କୁ ଗଲାଣି ଯେ, ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକୁ ସୁରକ୍ଷିତ ରଖିବା ବି ଚ୍ୟାଲେଞ୍ଜ ପାଲଟି ଯାଇଛି । ଜିଲ୍ଲା ପ୍ରଶାସନ ଓ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଗଞ୍ଜାମ ଜିଲ୍ଲାର ୮ଜଣ ନେତାଙ୍କୁ ଗତକାଲି ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରି ଘର ସଜାଡ଼ିବା ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଶ୍ଚିମଓଡ଼ିଶାରେ ବିଜେଡିର ନେତୃତ୍ୱ ସମୀକରଣରେ ବି ପରିବର୍ତ୍ତନ କରି ନିର୍ବାଚନ ପୂର୍ବରୁ ନେତାଙ୍କୁ ଏକଜୁଟ଼ ରଖିବାକୁ ଉଦ୍ୟମ କରିଛନ୍ତି । ଗଞ୍ଜାମ ଦଳୀୟ ସଂଗଠନ ବ୍ୟାପାରରୁ ନିଜକୁ ଦୂରେଇ ରଖିଥିବା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ସୁଶାନ୍ତ ସିଂଙ୍କ ଭଳି ନେତାଙ୍କୁ ମାତ୍ରାଧିକ ଗୁରୁତ୍ୱ ପଶ୍ଚିମଓଡ଼ିଶାରେ ଗୋଷ୍ଠୀକନ୍ଦଳକୁ ତୀବ୍ର କରି ଦଳୀୟ ସ୍ଥିତି ବିପର୍ଯ୍ୟସ୍ତ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦଳର ୩୬ଜଣ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀ(ନିଗମ ଓ ବୋର୍ଡ ମୁଖ୍ୟ ସମେତ ଉପଦେଷ୍ଟା ପଦବୀ)ରେ ଥଇଥାନ କରିଛନ୍ତି । ଧାମନଗର ଓ ପଦ୍ମପୁର ଉପନିର୍ବାଚନ ତଥା ସାଧାରଣ ନିର୍ବାଚନକୁ ଆଖିରେ ରଖି ପ୍ରାୟ ୪ମାସର କସରତ ପରେ ଯେଉଁ ୩୬ଜଣ ଦଳୀୟ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଛନ୍ତି ସେମାନଙ୍କ ମଧ୍ୟରୁ କେବଳ ୮ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ବିଜେଡିର ଗଡ଼ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଦଳୀୟ ସାଂଗଠନିକ କାର୍ଯ୍ୟରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖାଯିବା ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ମଧ୍ୟ କୋଣଠେସା କରାଯାଇଥିବାରୁ ଦଳର ସ୍ଥିତି ଗଞ୍ଜାମ ଜିଲ୍ଲାରେ ଦୋହଲି ଯାଇଛି । ଏମାନଙ୍କ ପରିବର୍ତ୍ତେ ଗଞ୍ଜାମ ଜିଲ୍ଲା ବିଜେଡିରେ ଉପଯୁକ୍ତ ବିକଳ୍ପ ନେତୃତ୍ୱ ନଥିବାରୁ ଦଳୀୟ କର୍ମୀ ଓ ସାଧାରଣ ଭୋଟରଙ୍କ ମଧ୍ୟରେ ଦଳ ବିରୁଦ୍ଧରେ ଅସନ୍ତୋଷ ବୃଦ୍ଧି ପାଇଛି । ଯେଉଁ ନେତାମାନେ ଦଳ ସହ ଅଛନ୍ତି ସେମାନେ ବି ଦୀର୍ଘଦିନ ଧରି କୌଣସି ସରକାରୀ ପଦପଦବୀ ପାଇନଥିବାରୁ ଠିକଣା ସମୟରେ ଜବାବ ଦେବାକୁ ଚାହିଁ ରହିଛନ୍ତି । ଏସବୁ ସ୍ଥିତିକୁ ଆକଳନ କରି ବିଜେଡି ସୁପ୍ରିମୋ ଗତକାଲି ଦଳୀୟ ନେତାଙ୍କୁ ଥଇଥାନ କରିବା ଆଳରେ ନିଜସ୍ୱ ଜିଲ୍ଲା ଗଞ୍ଜାମକୁ ସଜାଡ଼ିବାକୁ ଉଦ୍ୟମ କରିଛନ୍ତି ।

ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିର ବ୍ଲକ୍ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ (ଉପଦେଷ୍ଟା,ଓଡ଼ିଶା କୃଷି ବିପଣନ ବୋର୍ଡ) ଓ ପୁରୁଖା ନେତା ଡି.ବିଶ୍ୱନାଥଙ୍କୁ କିଛି ବର୍ଷର ବ୍ୟବଧାନରେ ପୁଣିଥରେ ଓଡ଼ିଶା ଗୃହନିର୍ମାଣ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ଥଇଥାନ କରିଛନ୍ତି । ଏମାନଙ୍କ ବ୍ୟତୀତ ଗଞ୍ଜାମ ଜିଲ୍ଲାରୁ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ (ସଦସ୍ୟ,ରାଜ୍ୟ ଯୋଜନା ବୋର୍ଡ), ସୁବାସ ମହାରଣା(ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ), ରାମଚନ୍ଦ୍ର ପଣ୍ଡା (ଉପଦେଷ୍ଟା,କୃଷି ବିଭାଗ), ପବିତ୍ର ପାଣିଗ୍ରାହୀ( ଅଧ୍ୟକ୍ଷ,ଗଞ୍ଜାମ ଆଂଚଳିକ ଉନ୍ନୟନ ଟ୍ରଷ୍ଟ)ଙ୍କ ସମେତ ଗଞ୍ଜାମ ଜିଲ୍ଲା ଯୋଜନା କମିଟିରେ ଏକ୍ସପର୍ଟ ସଦସ୍ୟ ଭାବେ ରଘୁନାଥ ନାଇଡୁ ଓ ତୁମ୍ବନାଥ ପଣ୍ଡାଙ୍କୁ ଥଇଥାନ କରାଯାଇଛି । ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ସୁରେନ୍ଦ୍ର ପ୍ରଧାନ ଓ ଡି.ବିଶ୍ୱନାଥଙ୍କୁ ଥଇଥାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜସ୍ୱ ଆସନକୁ ସାଧାରଣ ନିର୍ବାଚନ ପୂର୍ବରୁ ସଜାଡ଼ିବାକୁ ପ୍ରୟାସ କରିଛନ୍ତି । ଏହାସହିତ ଉପରୋକ୍ତ ନେତାମାନଙ୍କୁ ଥଇଥାନ କରି ଜିଲ୍ଲାରେ ଭୁଷୁଡ଼ୁଥିବା ବିଜେଡି ଗଡ଼କୁ ମଧ୍ୟ ବଂଚାଇବାକୁ ଉଦ୍ୟମ କରଥିବା ଜଣାପଡ଼ିଛି ।

ସେହିପରି ୨୦୧୯ ସାଧାରଣ ନିର୍ବାଚନ ପରଠୁ ପଶ୍ଚିମଓଡ଼ିଶାରେ ବିଜେଡିର ସଂଗଠନ ଦାୟିତ୍ୱ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତକୁ ଟେକି ଦେଇଥିବା ବିଜେଡି ସୁପ୍ରିମୋ ଏବେ ଦଳର ସ୍ଥିତିକୁ ନେଇ ଆଶଙ୍କାରେ ପଡ଼ିଛନ୍ତି । ସୁଶାନ୍ତଙ୍କୁ ସଂଗଠନ କାର୍ଯ୍ୟରେ ମାତ୍ରାଧିକ ଗୁରୁତ୍ୱ ଦେବାର ପ୍ରତିକୂଳ ପ୍ରଭାବ ପଶ୍ଚିମଓଡ଼ିଶାରେ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଅନୁଭୂତ ହେବା ସହ ସାଧାରଣ ଭୋଟର ମଧ୍ୟ ବିଜେଡିରୁ ମୁହଁ ଫେରାଇବାରେ ଲାଗିଛନ୍ତି । ମମିତା ମେହେର ହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ନକରି ସୁରକ୍ଷା ଦେବା, ପଶ୍ଚିମଓଡ଼ିଶାର ସଂଗଠନ ବ୍ୟାପାରରେ ସୁଶାନ୍ତ ସିଂ ଓ ତାଙ୍କର ଖାସ୍ ଅନୁଗତ ଟୁକୁନି ସାହୁଙ୍କୁ ମାତ୍ରାଧିକ ଗୁରୁତ୍ୱ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ସଂଗଠନରେ ମନ୍ତ୍ରୀ ନବ ଦାସଙ୍କୁ ଗୁରୁତ୍ୱ ସମେତ ସିଂହଦେଓ ଓ ଆଚାର୍ଯ୍ୟ ପରିବାରକୁ ସମ୍ପୂର୍ଣ୍ଣ କୋଣଠେସା ସହ ପୁଷ୍ପେନ୍ଦ୍ର ସିଂହଦେଓ ଓ ଶାରଦା ନାୟକଙ୍କ ଭଳି ନେତାଙ୍କୁ ଅଣଦେଖାର ପ୍ରତିକୂଳ ପ୍ରଭାବ ପଡ଼ୁଥିବା ନେଇ ଗୁଇନ୍ଦା ଇନପୁଟ୍ ବିଜେଡି ନେତୃତ୍ୱଙ୍କ ନିଦ ହଜାଇ ଦେଇଛି । ଉପରକୁ ସବୁ ଠିକ୍ ଲାଗୁଥିଲେ ମଧ୍ୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତି ଦୋହଲିବାରେ ଲାଗିଥିବା ବିଜେଡି ସୁପ୍ରିମୋ ଅନୁଭବ କରିସାରିଲେଣି । ଯେଉଁଥିପାଇଁ ସୁଶାନ୍ତଙ୍କ ବିରୋଧ ଯୋଗୁ ସିଂହଦେଓ ଓ ଆଚାର୍ଯ୍ୟ ପରିବାରକୁ ଗତ ୩ବର୍ଷ ଧରି ଅଣଦେଖା କରିଥିବା ବିଜେଡି ନେତୃତ୍ୱ ଏବେ ପୁଣିଥରେ କୋଳେଇବାକୁ ପ୍ରୟାସ କରିଛନ୍ତି । ଜିଲ୍ଲା ସଭାପତି ପଦରୁ କଳିକେଶ ସିଂହଦେଓଙ୍କୁ ବିଦା କରିଥିବା ବିଜେଡି ନେତୃତ୍ୱ ଏବେ ତାଙ୍କୁ ରାଜ୍ୟ ଗୃହନିର୍ମାଣ ବୋର୍ଡ ଅଧ୍ୟକ୍ଷ ଭଳି ଲୋଭନୀୟ ପଦରେ ଥଇଥାନ କରିଛନ୍ତି । ସିଂହଦେଓ ପରିବାରର ପ୍ରଭାବ ଯୋଗୁ ବଲାଙ୍ଗିର ଜିଲ୍ଲା ବିଜେଡି ସଭାପତି ମନ୍ତ୍ରୀ ଟୁକୁନି ସାହୁ ଥାଇ ମଧ୍ୟ ଗତ ୨ବର୍ଷ ମଧ୍ୟରେ ଥରୁଟିଏ ବି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଡାକିପାରିନାହାନ୍ତି । ଯଦିଓ ସୁଶାନ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ତାଙ୍କ ଉପରେ ଅଭୟ ହସ୍ତ ରଖିଛନ୍ତି । ସେହିପରି ୨୦୧୯ ସାଧାରଣ ନିର୍ବାଚନବେଳେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ପୂର୍ବତନ ବିଧାୟକ ସାଧୁ ନେପାକଙ୍କୁ ମଧ୍ୟ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସୁପାରିଶରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ଥଇଥାନ କରାଯାଇଥିବା ଜଣାପଡ଼ିଛି । ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଭାତଆଦିତ୍ୟ ମିଶ୍ରଙ୍କୁ ମଧ୍ୟ ଥଇଥାନ କରାଯାଇଛି । ସେହିପରି ମନ୍ତ୍ରୀ ନବ ଦାସଙ୍କ ବିରୁଦ୍ଧ ସତ୍ତ୍ୱେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ(ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ)ଙ୍କ ସୁପାରିଶରେ ବରିଷ୍ଠ ନେତା ଶାରଦା ନାୟକଙ୍କୁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ବିଜେଡି ସୂତ୍ରରୁ ସୂଚନା ମିଳିଛି । ଆଉ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଏକାନ୍ତ ଅନୁଗତ ହୋଇ ସୁଶାନ୍ତ ପଶ୍ଚିମଓଡ଼ିଶାର ନେତା ଭାବେ ନିଜକୁ ପ୍ରତିପାଦନ କରିବା ଏବେ ବିଜେଡିକୁ ମହଙ୍ଗା ପଡ଼ିବାରେ ଲାଗିଛି ।

ଏପଟେ ପ୍ରସନ୍ନ ପାଟ୍ଟଶାଣୀ, କସ୍ତୁରୀ ମହାପାତ୍ର, ନିବେଦିତା ନାୟକ, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର,ବିଜୟ ନାୟକ, ସରୋଜିନୀ ହେମ୍ବ୍ରମ, ସତ୍ୟବ୍ରତ ତ୍ରିପାଠୀ(କୁନା), ଶ୍ରୀମୟୀ ମିଶ୍ର ଓ ସନ୍ତୋଷ ବେଜଙ୍କ ଭଳି ନେତା-ନେତ୍ରୀଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ(ବବି)ଙ୍କୁ ମଧ୍ୟ ବିଜେଡି ନେତୃତ୍ୱ ଚେକ୍ ଦେଇଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।