ଉମରକୋଟ: ନରହନ୍ତା ଭାଲୁକୁ ପିଟି ପିଟି ମାରିଦେଲେ ଲୋକେ

beer dead-1ଉମରକୋଟ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶିଙ୍ଗାଡି ଜଙ୍ଗଲରେ ଉତ୍ତ୍ୟକ୍ତ ଲୋକେ ଏକ ନରହନ୍ତା ଭାଲୁକୁ ପଥର ଓ ଠେଙ୍ଗାରେ ପିଟିପିଟି ଆଜି ମାରିଦେଇଥିବା ସୂଚନା ମିଳିଛି।

ଗତକାଲି ସ୍ଥାନୀୟ ଫଟକୀ ଗାଁର ଲମ୍ବୋଦର ମାଝୀ, ବତାଝର ଗାଁର ନକୁଳ ମାଝି ଓ ତାଙ୍କ ସ୍ତ୍ରୀ ତୁରୁତୁରୀ ମାଝୀ ଶାଗ ତୋଳିବାକୁ ଯାଇଥିବା ବେଳେ ଭାଲୁ ହାବୁଡରେ ପଡି ପ୍ରାଣ ହରାଇଥିଲେ।  ଅନ୍ୟ ଦୁଇ ଜଣ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।

ବନବିଭାଗ କର୍ମଚାରୀ ଓ ପୋଲିସ ସମ୍ପୃକ୍ତ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଆଜି ଅନ୍ୟ ଦୁଇ ଜଣଙ୍କ ମୃତଦେହ ଖୋଜା ଚାଲିଥିଲା। ଏହାସହ ଭାଲୁକୁ କାବୁ କରିବାକୁ ବନ ବିଭାଗ ପକ୍ଷରୁ ଯନ୍ତା ବସାଯିବା ସହ ଟ୍ରାଙ୍କୁଲାଇଜର ଟିମ୍‌ ମଧ୍ୟ ପ୍ରସ୍ତୁତ ରହିଥିଲା। ତେବେ ଭାଲୁଟି ହଠାତ୍‌ ଲୋକଙ୍କ ସମ୍ମୁଖକୁ ଆସିଯିବାରୁ ସେମାନେ ପଥର ଓ ଠେଙ୍ଗା ସାହାଯ୍ୟରେ ତା’ଉପରେ ଆକ୍ରମଣ କରିଥିଲେ। ପୋଲିସ ଓ ବନବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ମଧ୍ୟ ଭାଲୁକୁ ଉତ୍ୟକ୍ତ ଲୋକଙ୍କ କବଳରୁ ବଞ୍ଚାଇବା ଲାଗି ଉଦ୍ୟମ କରି ନ ଥିବା ଅଭିଯୋଗ ହୋଇଛି।

ଉମରକୋର୍ଟ ଏସ୍‌ଡିପିଓ ଗୋପୀନାଥ ମଣିପାତ୍ର କହିଛନ୍ତି,“ଗତକାଲି ଖବର ମିଳିଥିଲା ଯେ, ଫଟକି ଗାଁ ୪ ଜଣ ଲୋକ ନିକଟସ୍ଥ ଜଙ୍ଗଲକୁ ଶାଗ ତୋଳିବା ପାଇଁ ଯାଇଥିବା ବେଳେ ୩ ଜଣଙ୍କୁ ଭାଲୁ ମାରିଦେଇଥିବା ବେଳେ ଜଣେ ଖସି ଆସି ଗାଁରେ ସୂଚନା ଦେଇଥିଲେ। ଆଜି ଗାଁଲୋକେ ଜଙ୍ଗଲକୁ ଯିବା ପରେ ଜଣଙ୍କ ମୃତଦେହକୁ ଠାବ କରିଥିଲେ। ଏହି ସମୟରେ ଭାଲୁ ଲୋକଙ୍କ ଉପରକୁ ଆକ୍ରମଣ କଲା, ଆତ୍ମରକ୍ଷା କରିବାକୁ ଶତାଧିକ ଗ୍ରାମବାସୀ ଭାଲୁଟିକୁ ମାରିଦେଇଥିବା ଖବର ମିଳିଛି।”

ଉମରକୋଟ ରେଞ୍ଜର ମହେନ୍ଦ୍ର କୁମାର ପାତ୍ର କହିଛନ୍ତି,“ ବନ୍ୟଜନ୍ତୁ ସୁରକ୍ଷା ଆଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। କିନ୍ତୁ ସବୁ କ୍ଷେତ୍ରରେ ଏହି ଆଇନ୍‌କୁ ପ୍ରୟୋଗ କରିବା ସମ୍ଭବ ହେଉନାହିଁ। ଜଙ୍ଗଲରେ କୌଣସି ଜୀବକୁ ଯଦି କିଏ ମାରଛି ତାହା ଜାଣିବା ଆମ ପାଇଁ କଷ୍ଟକର ହେଉଛି। ଏହାସହ ତାଙ୍କୁ ଚିହ୍ନଟ କରି ଆଇନ୍‌ ଅନୁସାରେ ଦଣ୍ଡ ଦେବା ବେଳେବେଳେ କଷ୍ଟକର ବ୍ୟାପର ହୋଇପଡୁଛି। ଯେଉଁମାନେ ଜଙ୍ଗଲରେ ଏହିପରି ଜନ୍ତୁଙ୍କୁ ମାରି ଆଇନ୍‌କୁ ହାତକୁନ ନେଇଛନ୍ତି ସେମାନଙ୍କୁ ଦଣ୍ଡ ଦେବାକୁ ଆମ ପକ୍ଷରୁ ନିରନ୍ତର ଚେଷ୍ଠା ଜାରିରହିଛି।”