ମାଟି ହାଣ୍ଡି ପାଇଁ ମିଛ ବିଲ୍‌, ଦାମ୍‌ ୨୪୦୦ ଟଙ୍କା

ଚାନ୍ଦବାଲି (ବାସୁଦେବ ଦାସ): ଗୋଟିଏ ମାଟି ହାଣ୍ଡିର ଦାମ୍ ୨୪୦୦ଟଙ୍କା। ଜଗ୍‌ର ଦାମ୍ ୬୦୦ ଟଙ୍କା।  ମାସକରେ ୪ ଥର ଦିଆଯାଇଛି ଇଲେକ୍ଟ୍ରି ବିଲ୍। ସରକାରୀ ଅନୁଦାନରେ କମ୍ୟୁନିଟି ସେଣ୍ଟରଠୁ ଆରମ୍ଭ କରି ଖେଳ ପଡ଼ିଆ କେତେ କଣ ନିର୍ମାଣ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି ।  ହେଲେ ପ୍ରକୃତରେ କିଛି ନାହିଁ  । ଆରଟିଆଇ ତଥ୍ୟରୁ ମିଳିଛି କେମିତି ସରକାରୀ ଟଙ୍କା ହୋଇଛି ଆତ୍ମସାତ ।  ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ଭଦ୍ରକ ଚାନ୍ଦବାଲି ବ୍ଲକ ଭାଟପଡ଼ା ପଞ୍ଚାୟତରୁ ଆସିଛି ଏମିତି ଦୁର୍ନୀତି ଅଭିଯୋଗ।

ମିଛ ବିଲ୍ ଦେଇ କେମିତି ଲକ୍ଷ ଲକ୍ଷ ଟଙ୍କା ଲୁଟ ହୋଇଛି, ତାହାର ପ୍ରମାଣ ସୂଚନା ଅଧିକାର ବଳରେ ମିଳିଛି।  ନାଉଗୋରଡ଼ା କମ୍ୟୁନିଟି ସେଣ୍ଟର ନାଁରେ ୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ତଥ୍ୟ ରହିଛି।  ହେଲେ ଏହା ଏକ ବ୍ୟକ୍ତିଗତ ନିର୍ମାଣ ବୋଲି କହିଛନ୍ତି ଗ୍ରାମବାସୀ।  ଏମିତିକି କାଗଜ ପତ୍ରରେ ରାଉତପଡ଼ାରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର କମ୍ୟୁନିଟି ସେଣ୍ଟର ନିର୍ମାଣ ହୋଇଛି ।

ହେଲେ ପ୍ରକୃତରେ ସେମିତି କିଛି କମ୍ୟୁନିଟି ସେଣ୍ଟର ନାହିଁ । ଦୋଳ ମଣ୍ଡପ ଖେଳପଡ଼ିଆରେ ମାଟି ପକାଇ ଟଙ୍କା ନିଆଯାଇଛି  । ହେଲେ ଯେଉଁ ଟ୍ରାକ୍ଟର ଏଥିରେ ବ୍ୟବହାର ହୋଇଛି ବୋଲି ଦର୍ଶାଯାଇଛି ସେହି ଟ୍ରାକ୍ଟର ମାଲିକ କିନ୍ତୁ ଏବାବଦରେ ଅଜ୍ଞ । ଜଳଛତ୍ର ପାଇଁ ଗୋଟିଏ ମାଟି ହାଣ୍ଡି ୨୪ଶହ ଟଙ୍କା ଦେଇ କିଣାଯାଇଥିବା ବେଳେ ଗୋଟିଏ ଜଗ୍ ୬ଶହ ଟଙ୍କା ଦେଇ କିଣାଯାଇଛି।  ଏମିତିକି ଗୋଟିଏ ମାସରେ ୪ଥର ଇଲେକ୍ଟ୍ରି ବିଲ୍ ଦିଆଯାଇଥିବା ଦର୍ଶାଯାଇଛି।  ଏହାଛଡ଼ା ପଞ୍ଚାୟତକୁ ସରପଞ୍ଚ ଟଙ୍କା ଧାର ଦେବା ଓ ନେବା ବ୍ୟବସ୍ଥା କରି ୩ ବର୍ଷରେ ୧୦ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।  କେବଳ ଏତିକି ନୁହେଁ କେମିତି ସରକାରୀ ଅର୍ଥ ହଡ଼ପ ହୋଇଛି ଏହି ପଞ୍ଚାୟତରେ ତାହାର ମାଳ ମାଳ ପ୍ରମାଣ ଆରଟିଆଇରୁ ମଳିଛି।

ଏନେଇ ଲୋକାୟୁକ୍ତ, ଭଦ୍ରକ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।  ତେବେ ଜିଲ୍ଲାପାଳ କହିଛନ୍ତି ଅଭିଯୋଗ ପାଇଛୁ।  ତଦନ୍ତ ପାଇଁ PD DRDAଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।