ଅଘୋଷିତ ବିଦ୍ୟୁତ୍‌ କାଟ୍‌ରୁ ବାଦ୍‌ ପଡ଼ୁନି ରାଜଧାନୀ, ଅଢ଼େଇ ବର୍ଷରେ ୬୭ ହଜାର ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟାଟା ପାଓ୍ୱାର ରାଜ୍ୟରେ ବିଦ୍ୟୁତ ବିତରଣ ସେବା ହାତକୁ ନେବା ପରେ ବଢ଼ିଛି ଉପଭୋକ୍ତା ଅଭିଯୋଗ ସଂଖ୍ୟା। ଯାହାକୁ ନେଇ ଏହି କମ୍ପାନୀର ବିଦ୍ୟୁତ୍ ସେବା ପ୍ରଦାନ ଶୈଳୀକୁ ନେଇ ଉଠିଛି ପ୍ରଶ୍ନବାଚୀ। ଲୋକଙ୍କୁ ଏବେ ବି କମ୍ପାନୀର ମନଇଚ୍ଛା ପାଓ୍ୱାର କଟ୍‌ରୁ ତ୍ରାହି ମିଳି ନ ଥିବା ମଧ୍ୟ ଆଭାସ ମିଳିଛି। ଯାହାର ପୋଲ ଖୋଲିଛି ଆରଟିଆଇ ତଥ୍ୟ। କେବଳ ରାଜଧାନୀ ଭୁବନେଶ୍ୱରରେ ଗତ ଅଢ଼େଇ ବର୍ଷ ଭିତରେ ୬୭ ହଜାରରୁ ଅଧିକ ପାଓ୍ୱାର କଟ୍ ଅଭିଯୋଗ ପଞ୍ଜୀକୃତ ହୋଇଛି। ଅନ୍ୟାନ୍ୟ ସମସ୍ୟାକୁ ମିଶାଇଲେ ଏହି ସମୟ ମଧ୍ୟରେ ମୋଟ୍ ଉପରେ ୯୨ ହଜାର ୪୮୮ କଂପ୍ଳେନ୍ ଆସିଛି ବୋଲି ସୂଚନାରୁ ଜଣାପଡ଼ିଛି।

ଗୋଟିଏ ପଟେ ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଏବେ ବି କମ ହୋଇ ନାହିଁ। ଅନ୍ୟପଟେ ଏବେବି ଗ୍ରାହକଙ୍କୁ ମିଳିପାରୁ ନାହିଁ ଉତ୍ତମ ସେବା। ଯାହାକୁ ନେଇ ସରକାର ଓ ସରକାରଙ୍କ ନିଷ୍ପତ୍ତି ସମାଲୋଚନାକୁ ଆସିଛି।

ରାଜ୍ୟରେ ଉନ୍ନତ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ୨୦୨୦ ଜୁନରେ ଟାଟା ପାୱାର ହାତକୁ ବିଦ୍ୟୁତ ସେବା ଟେକି ଦେଲେ ରାଜ୍ୟ ସରକାର। ଏହା ଭିତରେ ପାଖାପାଖି ଅଢେଇ ବର୍ଷ ବିତିଗଲାଣି। ହେଲେ ଗ୍ରାହକଙ୍କୁ ମିଳିଲାଣି ସନ୍ତୋଷଜନକ ଉନ୍ନତ ମାନର ବିଦ୍ୟୁତ୍ ସେବା।

୨୦୨୦ ଜୁନ୍‌ରୁ ଚଳିତ ବର୍ଷ ସେପ୍ଟେମ୍ବର ମାସ ଭିତରେ କେବଳ ରାଜଧାନୀରେ ବିଦ୍ୟୁତ୍ ସମସ୍ୟା ନେଇ ମୋଟ୍ ୯୨ ହଜାର ୪୮୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ତା’ ଭିତରୁ ସର୍ବାଧିକ ପାଓ୍ୱାର କଟ୍ ଜନିତ ଅଭିଯୋଗ। ଯାହାର ସଂଖ୍ୟା ରହିଛି ୬୭ ହଜାର ୮୦୨। ସେଥିମଧ୍ୟରୁ ପୁଣି ଚନ୍ଦ୍ର ଶେଖର ଫେଜ୍-ଟୁରେ ୯ ହଜାର ୭୬୨ ଓ କାନନ ବିହାରରେ ୮ ହଜାର ୬୮୦ଟି ଅଭିଯୋଗ ଆସିଛି। ପାଓ୍ୱାର କଟ୍ ବ୍ୟତୀତ ରାଜଧାନୀରେ ରହିଛି ଲୋ ଭୋଲଟେଜ ସମସ୍ୟା। ଏହି ସମୟ ମଧ୍ୟରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୧୧ ହଜାର ୧୨୯ଟି ଲୋ ଭୋଲଟେଜ୍ ସମସ୍ୟା ନେଇ ଅଭିଯୋଗ ଆସିଛି। ସେହିଭଳି ଅନ୍ୟାନ୍ୟ ବିଦ୍ୟୁତ୍ ସେବା ଜନିତ ଅଭିଯୋଗ ସଂଖ୍ୟା ୧୩ ହଜାର ୫୫୭।

ସୂଚନା ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ କହିଛନ୍ତି, ଏହା ଭିତରେ କେଳେଙ୍କାରୀ ଲୁଚି ରହିଛି। ସହରୀ ଜୀବନରେ ବିଦ୍ୟୁତ୍ ଅପରିହାର୍ଯ୍ୟ ହୋଇଥିବାରୁ ଇନ୍‌ଭଟର ଓ ଜେନେରେଟର ପ୍ରଭୃତି ଜିନିଷର ବିକ୍ରି ବଢ଼ାଇବାକୁ ରାଜଧାନୀ ଭୁବନେଶ୍ୱରରେ ଘଣ୍ଟାଘଣ୍ଟା ଅଘୋଷିତ ବିଦ୍ୟୁତ୍ କାଟ୍ କରାଯାଉଛି। ଏଥିରୁ ରାଜ୍ୟର ଗ୍ରାମାଞ୍ଚଳରେ ଅବସ୍ଥା କିପରି ଥିବ ବେଶ ଅନୁମେୟ।

ପ୍ରାୟ ଅଢ଼େଇ ବର୍ଷ ଧରି ଟାଟା ପାଓ୍ୱାର ବିଦ୍ୟୁତ୍ ବିତରଣ ସେବା ଦାୟିତ୍ୱ ନେବା ପରେ ମଧ୍ୟ ଉନ୍ନତ ସେବା ଯୋଗାଇବା ପାଇଁ ଆହୁରି ସମୟ ମାଗିଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ଆଉ ଦୁଇବର୍ଷ ପରେ ରାଜ୍ୟରେ ପାଓ୍ୱାର କଟ୍ ଅଭିଯୋଗ ଆଦୌ ରହିବ ନାହିଁ। ସେପଟେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ କହିବା ଅନୁସାରେ ପିକ୍ ଆଓ୍ୱାରରେ ଯେଉଁ ବିଦ୍ୟୁତ କାଟ ହେଉଛି ତାହା ପାଓ୍ୱାର କଟ୍ ନୁହେଁ ବରଂ ଟେକ୍ନିକାଲ ସମସ୍ୟା।

ସେହିପରି ବିଦ୍ୟୁତ୍ ନିୟାମକ ଆୟୋଗଙ୍କ କହିବା ଅନୁସାରେ ଟାଟା ପାଓ୍ୱାର ଦାୟିତ୍ୱ ନେବା ପରେ ଗ୍ରାହକ ସଚେତନ ହୋଇଛନ୍ତି। ଯେଉଁଥି ପାଇଁ କୌଣସି ସମସ୍ୟାରେ ତୁରନ୍ତ ଅଭିଯୋଗ ପଞ୍ଜୀକରଣ କରୁଛନ୍ତି। ଅଭିଯୋଗ ଆସିବା ପରେ ଏହାର ନିରାକଣ କରାଯାଉଥିବାରୁ ଗ୍ରାହକମାନେ ଅଧିକରୁ ଅଧିକ ଅଭିଯୋଗ ପଞ୍ଜୀକରଣ କରୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।