ଭୁବନେଶ୍ୱର: ଇଡକୋ ଟାୱାରରୁ ପଡ଼ି ଠିକାଦାରଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ଭୁବନେଶ୍ୱରର ଇଡକୋ ଟାୱାରରୁ ପଡ଼ି ଠିକାଦାରଙ୍କ ମୃତ୍ୟୁ ଘଟଣାରେ ସହିଦ ନଗର ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ମୃତ ଠିକାଦାରଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରି ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଏହା ସହିତ ଶବବ୍ୟଚ୍ଛେଦ ପରେ ମୃତଦେହକୁ ଇଡକୋ ଟାୱାର ସାମ୍ନାରେ କେଇ ଘଣ୍ଟା ରଖି ପରିବାର ଲୋକେ ଧାରଣାରେ ବସିଥିଲେ। ଠିକାଦାର ସଂଘର ଅନେକ ସଦସ୍ୟ ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇଥିଲେ। ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଠିକାଦାର ସଂଘ ଦାବି କରିଛି। ନହେଲେ ଆଗାମୀ ଦିନରେ ଏନେଇ ଆନ୍ଦୋଳନ କରାଯିବ ବୋଲି ସଂଘ କହିଛି।

ମୃତ ଠିକାଦାରଙ୍କ ପୁଅ ଗଗନ ଦାସ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କେହି ଇଡକୋ ଟାୱାର ଉପରୁ ଠେଲି ଦେଇ ଥାଇପାରନ୍ତି। ତେବେ କିଏ ଠେଲି ଥିବ ସେ ନେଇ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ। ଏ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ଇଡକୋ ଟାୱାରରୁ ପଡ଼ି ପ୍ରାଣ ହରାଇଥିବା ଏହି ଠିକାଦାରଙ୍କ ନାମ ଗଜେନ୍ଦ୍ରନାଥ ଦାସ। ସେ ଜଣେ ‘ଏ’ କ୍ଲାସ କଣ୍ଟ୍ରାକ୍ଟର ଥିଲେ। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ଏଥିରେ ଇଡକୋ ଠାରୁ ବକେୟା ଅର୍ଥ ନ ମିଳିବାରୁ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ଉଲ୍ଲେଖ କରିଥିବା ସୂଚନା ମିଳିଛି। ଗଜେନ୍ଦ୍ରଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗର ବଳେଇପୁର। ସେ ଭୁବନେଶ୍ୱର ଲକ୍ଷ୍ମୀସାଗର ସାରଳା ନଗରରେ ରହୁଥିଲେ। ଗଜେନ୍ଦ୍ରଙ୍କ ଡ୍ରାଇଭର ଉମେଶ ଘଡାଇଙ୍କ ସୂଚନା ଅନୁଯାୟୀ, ସେ କୋଣାର୍କ ଓ ରାହାମାରେ ଥିବା ନବୋଦୟ ସ୍କୁଲ୍ ନିର୍ମାଣ କାମ କରୁଥିଲେ । ସେ ୫ରୁ ୬ ବର୍ଷ ହେବ ବକେୟା ଅର୍ଥ ପାଇଁ ନିୟମିତ ଭାବେ ଆସୁଥିଲେ ମଧ୍ୟ ତାଙ୍କୁ ବାକୟା ଅର୍ଥ ମିଳୁ ନଥିବା ଜଣାପଡିଛି। ଏନେଇ ସବୁବେଳେ ଚିନ୍ତାରେ ରହୁଥିଲ। ପେମେଣ୍ଟ ସମ୍ପର୍କରେ ଗତକାଲି ସେ ଇଡକୋ ଏମଡିଙ୍କୁ ଦେଖା କରିବାକୁ ଆସିଥିଲେ। କିନ୍ତୁ ତାଙ୍କ ସହ ଦେଖା ହୋଇ ନ ଥିଲା ବୋଲି ବୋଲି ସେ କହିଛନ୍ତି।

ଗଜେନ୍ଦ୍ରଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ୍ ନୋଟକୁ ପୋଲିସ୍ ଯାଞ୍ଚ୍ କରିବ। ଏହାକୁ ଗଜେନ୍ଦ୍ର ଲେଖିଥିଲେ ନା ଆଉ କେହି ଲେଖିଥିଲେ ସେ ସଂପର୍କରେ ପୋଲିସ୍ ଯାଞ୍ଚ୍ କରାଯିବ ବୋଲି ପୋଲିସ୍ କମିଶନର କହିଛନ୍ତି। ଅନ୍ୟପକ୍ଷରେ ଘଟଣା ନେଇ ଇଡକୋ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ। ଆଜି ମୃତ ଗଜେନ୍ଦ୍ରଙ୍କ ପରିବାର ଲୋକେ ଧାରଣାରେ ବସିଥିବା ବେଳେ ବି ଇଡକୋର କୌଣସି ଅଧିକାରୀ ସେମାନଙ୍କୁ ଦେଖା କରିବାକୁ ଆସି ନଥିଲେ।