ଓଡ଼ିଶାର ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏକ ବିରାଟ ସ୍କାମ: ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶାର ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏକ ବିରାଟ ସ୍କାମ।” ଏପରି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ରାଜ୍ୟରେ ଥିବା ବିଭିନ୍ନ ଖଣି ଘରୋଇ ମାଲିକାନାରେ ରହିଛି। ଏଥିରୁ ବାହାରୁଥିବା ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ବୋଲି ଦର୍ଶାଯାଉଛି। ଯାହାଫଳରେ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଛି। ସରକାରୀ କଳ ଓ ଖଣି ମାଲିକମାନେ ମିଳିମିଶି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି।

ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଯିବା ଫଳରେ ଫାଇନ୍ସ କ୍ଷେତ୍ରରେ ଲକ୍ଷେ ଟନ୍‌ରେ ୪୧ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ  ୧୦ ଲକ୍ଷ ଟନ୍‌ରେ ୪୧୪ କୋଟି କ୍ଷତି ହୋଇଛି। ସେହିପରି ଲମ୍ପ୍ସ କ୍ଷେତ୍ରରେ ଲକ୍ଷେ ଟନ୍‌ ୬୨ କୋଟି ଓ ୧୦ ଲକ୍ଷ ଟନରେ ୬୨୬ କୋଟି ଟଙ୍କା କ୍ଷତି ହୋଇଛି। ନିମ୍ନମାନର ଲୁହାପଥର ଦର୍ଶାଇ ରପ୍ତାନୀ ହେବାରୁ ଏକ୍ସପୋର୍ଟ ଡ୍ୟୁଟି କମିଛି। ନିମ୍ନମାନର ଉତ୍ପାଦନ ଦ୍ୱାରା ବିକ୍ରି ମୂଲ୍ୟ ମଧ୍ୟ କମିଛି ବୋଲି ଭୁବନେଶ୍ୱର ସାଂସଦ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, ୨୦୧୯-୨୦ ଆର୍ଥିକ ବର୍ଷରେ ଯେଉଁ ଖଣିରୁ କମ୍ ପରିମାଣର ନିମ୍ନମାନର ଲୁହାପଥର ବାହାରିଥିଲା,  ନିଲାମ ପରେ ୨୦୨୧-୨୨ରେ ସେହିସବୁ ଖଣିରୁ ନିମ୍ନମାନର ଲୁହାପଥର ଅଧିକ ପରିମାଣରେ ବାହାରିଲା। ସେହି ଅନୁସାରେ ରାଜ୍ୟ ସରକାରଙ୍କ ରାଜସ୍ୱ କ୍ଷତି ମଧ୍ୟ ହୋଇଥିଲା।

ଅପରାଜିତା କହିଛନ୍ତି, ଖଣି ଦୁର୍ନୀତିର ତଦନ୍ତ ପାଇଁ ଶାହା କମିଶନ ଗଠନ ହୋଇଥିଲା। ଶାହା କମିଶନଙ୍କ ରିପୋର୍ଟରୁ ରାଜ୍ୟରେ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ହୋଇଥିବା ନେଇ ଜଣାପଡ଼ିଥିଲା। ରାଜ୍ୟ ସରକାର ଏନେଇ ଅବଗତ ଥିଲେ, ହେଲେ ଶାହା କମିଶନଙ୍କ ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ। ଯଦି ରାଜ୍ୟ ସରକାର ଗୁରୁତ୍ୱ ଦେଇଥାନ୍ତେ, ରାଜ୍ୟର ରାଜସ୍ୱ ବଢ଼ିଥା’ନ୍ତା

୨୦ଟି ଘରୋଇ ଖଣିରେ ଦୁର୍ନୀତି ସଂପର୍କିତ ତଥ୍ୟ ମୋ ପାଖରେ ତଥ୍ୟଅଛି। ଆଜି ୬ଟି ଖଣିରେ ଦୁର୍ନୀତି ସମ୍ପର୍କରେ ତଥ୍ୟ ଦେଇଛି, ଆଉ୧୪ଟି ଖଣିରେ ଦୁର୍ନୀତି ସଂପର୍କିତ ତଥ୍ୟ ଦେବି ବୋଲି ଅପରାଜିତା କହିଛନ୍ତି।

ସେ କହିଛନ୍ତି, ଆମ ଓଡ଼ିଶାରେ ଖଣିଜ ପଦାର୍ଥ ଭରି ରହିଛି। ସେ ଦୃଷ୍ଟିରୁ ଆମେ ଧନୀ ରାଜ୍ୟ। ହେଲେ  ଆମେ ରାଜ୍ୟରେ ଯେଉଁ ଖଣିଜ ପଦାର୍ଥ  ଗୁଡ଼ିକ ରହିଛି, ଯଦି  ତାହାର ଭଲ ଭାବରେ ପରିଚାଳନା ହେଇଥା’ନ୍ତା, ଭଷ୍ଟ୍ରାଚାର ହୋଇ ନଥା’ନ୍ତା। ସବୁ ଖଣି ପଇସା ଆମ ଓଡ଼ିଶା ରାଜ୍ୟର ରାଜକୋଷକୁ ଯାଇଥା’ନ୍ତା। ଯଦି ରାଜ୍ୟ ସରକାର ଓ ପ୍ରାଇଭେଟ୍ ମାଇନରଙ୍କ ଭିତରେ ଅନୈତିକ ବୁଝାମଣା ହେଇ ନଥା’ନ୍ତା, ଆମ ଓଡ଼ିଶା ଦେଶରେ ଆର୍ଥିକ ଦୃଷ୍ଟିରୁ ସମ୍ବଳ ରାଜ୍ୟ ଭିତରେ ପରିଗଣିତ ହୋଇଥା’ନ୍ତା।

ଅନ୍ୟପକ୍ଷରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ସେ କହିଛନ୍ତି,  ଖଣି ନିଲାମୀ ଓ ପରିଚାଳନାରେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ରାଜ୍ୟ ପାଲଟିଛି। ଏଥିପାଇଁ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଓ ଖଣି ମନ୍ତ୍ରାଳୟ ପ୍ରଶଂସା କରିଛନ୍ତି। ଏବର୍ଷ ଆମେ ୫୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ କରିଛୁ। ସାଂସଦଙ୍କୁ ଅନୁରୋଧ ସେ ପ୍ରଧାନମନ୍ତ୍ରୀ ଓ ଖଣି ମନ୍ତ୍ରାଳୟକୁ ଏ ବିଷୟରେ ପଚାରନ୍ତୁ।

 

 

 

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।