‘ସଂସଦରେ ବଜେଟ ଅଧିବେଶନ ନ ସରିବା ପର୍ଯ୍ୟନ୍ତ ଆମକୁ ଛାଡ଼ିବେନି’

ଭୁବନେଶ୍ୱର: ବିମୁଦ୍ରାକରଣକୁ ଆମେ ବିରୋଧ କରୁଛୁ। ତେଣୁ ସଂସଦରେ ବଜେଟ ଅଧିବେଶନ ନ ସରିବା ପର୍ଯ୍ୟନ୍ତ ଏମାନେ ଆମକୁ ଛାଡ଼ିବେନି ବୋଲି ଆଜି ସିବିଆଇ ଦ୍ୱାରା ଗିରଫ ହୋଇ ରିମାଣ୍ଡରେ ଥିବା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଗଣମାଧ୍ୟମକୁ କହିଛନ୍ତି।

ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ସୁଦୀପଙ୍କୁ ସିବିଆଇ ୬ ଦିନ ରିମାଣ୍ଡରେ ନେଇଥିଲା। ଆଜି ତାଙ୍କ ରିମାଣ୍ଡର ଶେଷ ଦିନ ଥିଲା। ସିବିଆଇ ତାଙ୍କୁ କୋର୍ଟରେ ହାଜର କରାଇବାକୁ ଆଣିବା ବେଳେ ଏପରି ମନ୍ତବ୍ୟ ଦେଇଛନ୍ତି।

ଆଜି ସୁଦୀପଙ୍କୁ ପୁଣି ୮ ଦିନ ରିମାଣ୍ଡରେ ନେବାକୁ ସିବିଆଇ ସ୍ପେଶାଲ ସିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। କୋର୍ଟ ତାଙ୍କୁ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଆସନ୍ତା ୧୨ ତାରିଖରେ ସୁଦୀପଙ୍କୁ କୋର୍ଟରେ ହାଜର କରାଯିବ।

ସିବିଆଇ ସୁଦୀପଙ୍କୁ ରୋଜଭ୍ୟାଲି ସହ ତାଙ୍କ ସଂପର୍କ, କଂପାନୀ ଟଙ୍କାରେ ୟୁରୋପ ଗସ୍ତ ଆଦି ସଂପର୍କରେ ପଚରାଉଚରା କରିଥିବା ଜଣାପଡ଼ିଛି। ନିଜ ପଦବୀର ଅପବ୍ୟବହାର କରି ରୋଜଭ୍ୟାଲିର ସ୍ୱାର୍ଥ ପାଇଁ ସେ କ’ଣ କରିଥିଲେ, ତାଙ୍କ ମାଧ୍ୟମରେ ଅନ୍ୟ କେଉଁ ନେତା ଓ ମନ୍ତ୍ରୀ ଏହି ଚିଟ୍‌ଫଣ୍ଡ୍ କଂପାନୀଠାରୁ ଫାଇଦା ନେଇଛନ୍ତି କି- ଏସବୁ ବିଷୟରେ ସୁଦୀପଙ୍କୁ ସିବିଆଇ ଜେରା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଦଳୀୟ ସାଂସଦଙ୍କୁ ଗିରଫ କରାଯିବା ଓ ବିମୁଦ୍ରାକରଣ ପ୍ରତିବାଦରେ ଆସନ୍ତାକାଲି ଭୁବନେଶ୍ୱରରେ ତୃଣମୂଳ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ। ଏଥିପାଇଁ ଦଳ ପକ୍ଷରୁ ଜୋରସୋର୍ ପ୍ରସ୍ତୁତି ଚାଲିଛି। ଦଳର ବରିଷ୍ଠ ନେତାମାନେ ଭୁବନେଶ୍ୱରରେ ଡେରା ପକାଇଛନ୍ତି।