ଭୁବନେଶ୍ୱରରେ ବନ୍ଦ ଘରୁ ଶିଶୁକନ୍ୟା ଉଦ୍ଧାର ମାମଲା: ବାପା ପାଖରେ ରହିବ ଶିଶୁ 

CHILD resued at mancheswarଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗ ଅଞ୍ଚଳରୁ ବନ୍ଦ ଘରୁ ଗତ ସୋମବାର ଉଦ୍ଧାର କରାଯାଇଥିବା ୪ ବର୍ଷର ଶିଶୁ କନ୍ୟା ତା’ ବାପା ପାଖରେ ରହିବ। ଆଜି ଏ ନିଷ୍ପତ୍ତି ନେଇଛି ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି)। କମିଟି କହିଛି, ଶିଶୁ କନ୍ୟାଟି ବାଲେଶ୍ୱରରେ ତା’ ବାପା ପାଖରେ ରହିବ। ସେଠାରେ ଶିଶୁର ଜେଜେ ବାପା ଓ ଜେଜେ ମା’ ବି ରହୁଛନ୍ତି। ତେଣୁ ଛୁଆଟି ସେଠାରେ ରହିବା ସଠିକ୍ ହେବ। ଝିଅର ଯତ୍ନ ନେବା ପାଇଁ ବାପା ଛାଡ଼ିବେ ଚାକିରି। ଆଉ ଏସବୁ ନେଇ ଶିଶୁଟିର ପରିବାର ଲୋକେ ଏକ ସତ୍ୟପାଠ ଦାଖଲ କରିବେ। ସେମାନେ ସତ୍ୟପାଠ ଦାଖଲ କଲା ପରେ ଯାଇ ଶିଶୁଟିକୁ ବାଲେଶ୍ୱରକୁ ଛଡ଼ା ଯିବ ବୋଲି ସିଡବ୍ଲ୍ୟୁସି ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

ଗତକାଲି ଏହି ଶିଶୁ କନ୍ୟାର ବାପାମା’ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)ର ୫ ଜଣିଆ ସଦସ୍ୟଙ୍କ ଆଗରେ ହାଜର ହୋଇଥିଲେ। ଶିଶୁ ମଙ୍ଗଳ କମିଟି ପକ୍ଷରୁ ସେମାନଙ୍କୁ କାଉନସେଲିଂ କରାଯାଇଥିଲା। କେଉଁ ପରିସ୍ଥିତିରେ ଛୁଆଟିକୁ ଘରେ ତାଲା ପକାଇ ସେମାନେ ଚାଲି ଯାଉଥିଲେ ବୋଲି ପଚାରିଥିଲେ। କିନ୍ତୁ ଛୁଆଟିକୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ମନା କରି ଦେଇଥିଲେ।  ଛୁଆଟିର ସୁରକ୍ଷିତ ରହଣି ଲାଗି ପ୍ରଥମେ ବ୍ୟବସ୍ଥା କରିବାକୁ କମିଟି ପରାମର୍ଶ ଦେଇଥିଲେ। ଏନେଇ ଲିଖିତ ଭାବେ ଜଣାଇବାକୁ ଛୁଆଟିର ବାପାମା’ଙ୍କୁ କହିଥିଲେ।

ସିଡବ୍ଲ୍ୟୁସିଙ୍କ ନିକଟରେ ହାଜର ହେଲା ପରେ ଉଦ୍ଧାର ଶିଶୁ କନ୍ୟାର ମା’ ସୁଦେଷ୍ଣା ଦାଶ କହିଥିଲେ ଯେ ସେମାନେ ଆଉ ଛୁଆଟିକୁ ଏକୁଟିଆ ଅବା କାହାରି ପାଖରେ ଛାଡ଼ିବେ ନାହିଁ। ସେମାନଙ୍କ ଛୁଆକୁ ସେମାନେ ନିଜ ପାଖରେ ରଖିବେ।

ଏ ଘଟଣା ନେଇ ଚାଇଲଡ୍ ଲାଇନ ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଏକ  ଅଭିଯୋଗ ମଧ୍ୟ କରାଯାଇଛି। ଶିଶୁଟି ପ୍ରତି ଅନ୍ୟାୟ ହୋଇଥିବା ଏଡି ଅଭିଯୋଗରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ମଞ୍ଚେଶ୍ୱରର କଳାରାହାଙ୍ଗରେ ଗତ ୬ ମାସ ହେଲା ଘଣ୍ଟା ଘଣ୍ଟା ଧରି ଘରେ ୪ ବର୍ଷର ଶିଶୁ ଏକୁଟିଆ ରହୁଥିଲା। ଛୁଆକୁ ଘରେ ତାଲା ପକାଇ ସୁଦେଷ୍ଣା କାମକୁ ଯାଉଥିଲେ। ତେବେ ସୋମବାର ଏ ସଂପର୍କରେ ଜଣାପଡ଼ିବା ପରେ ରୁଚିକା ଚାଇଲଡ୍ ଲାଇନ୍ ସହାୟତାରେ ଘରର ତାଲା ଭାଙ୍ଗି ଶିଶୁଟିକୁ ଉଦ୍ଧାର କରାଯାଇଥିଲା।