ଭୁବନେଶ୍ୱର: ଡାକ୍ତର ନିଯୁକ୍ତି ଦାବିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର: ଡାକ୍ତର ନିଯୁକ୍ତି ଦାବିରେ ଭୁବନେଶ୍ୱରର ସତ୍ୟନଗର ମହିଳା ଫୋରମ ପକ୍ଷରୁ ରବିବାର ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ କରାଯାଇଥିଲା। ସତ୍ୟନଗରର ଏକ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଗତ ୬ ମାସ ହେଲା ଡାକ୍ତର ନାହାନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ପତ୍ର ମାଧ୍ୟମରେ ଜଣାଯାଇଥିଲେ ମଧ୍ୟ କେହି ସମସ୍ୟା ପ୍ରତି ଦୃଷ୍ଟି ଦେଉ ନ ଥିବା ସଂଗଠନ ଅଭିଯୋଗ କରିଛି।

ସତ୍ୟନଗର ମହିଳା ଫୋରମର ସମ୍ପାଦିକା ଅନୁରାଧା ଦାସ କହିଛନ୍ତି, ଆଜିକୁ ବର୍ଷେ ହେବ ଆମ ଅଞ୍ଚଳରେ ଡାକ୍ତର ନାହାନ୍ତି। ଛଅଟି ବସ୍ତିର ଲୋକମାନେ ଏଠି ରହୁଛନ୍ତି । ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷେ ହେଲାଣି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରି ଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନ ନେବାରୁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଘେରାଉ କରିଥିଲୁ।

ସାତଦିନ ମଧ୍ୟରେ ସମସ୍ୟାର ସମାଧାନ ଲାଗି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।