ଧର୍ମଗଡ: ଭୂତ ତଡ଼ିବାକୁ ଶେବାଶ୍ରମରେ ତନ୍ତ୍ରପାଠ, ତଦନ୍ତ କଲେ ୩ ଜଣିଆ ଟିମ୍
ଧର୍ମଗଡ: ଭୂତ ତଡ଼ିବାକୁ ସେବାଶ୍ରମରେ ୫ ଦିନ ଧରି ଚାଲିଲା ତନ୍ତ୍ରପାଠ। ଅସୁସ୍ଥ ଛାତ୍ରୀଙ୍କୁ ଚିକିତ୍ସା କରିବା ବଦଳରେ ଭୂତ ଲାଗୁଥିବା ଦର୍ଶାଇ ଆଶ୍ରମ ପରିସରରେ କରାଯାଇଛି ଝଡାଫୁଙ୍କା ଓ ପୂଜାର୍ଚ୍ଚନା। ଅନ୍ଧବିଶ୍ୱାସର ଘଟଣା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ବଡ କର୍ଲାକୋଟ ସେବାଶ୍ରମରେ। ରାତିରେ ଶିକ୍ଷାନୁଷ୍ଠାନରେ ତନ୍ତ୍ରପାଠ ଓ ଛାତ୍ରୀଙ୍କ ଉପସ୍ଥିତିକୁ ନେଇ ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରିଛି ଏକ ୩ ଜଣିଆ ଟିମ୍।
ଅନ୍ଧବିଶ୍ୱାସର ଅନ୍ଧଗଳି: କଳାହାଣ୍ଡି ଜିଲ୍ଲା ବଡ କର୍ଲାକୋଟ ସେବାଶ୍ରମରେ ଭୂତ ଛଡାଇବାକୁ ଚାଲିଛି ପୂଜାର୍ଚ୍ଚନା #Odisha pic.twitter.com/vxUhLhSuJv
— Odisha Reporter (@OdishaReporter) August 25, 2016
ସ୍ୱାଧୀନତାର ଏତେ ବର୍ଷ ପରେ ବି ଏକ ସରକାରୀ ଶିକ୍ଷାନୁଷ୍ଠାନରେ ରାତିର ବିଳମ୍ବିତ ପ୍ରହରରେ କିପରି ତନ୍ତ୍ରମନ୍ତ୍ର ପାଠ ଓ ପୂଜାର୍ଚ୍ଚନା କରାଯାଇଛି ତାହା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହି ସେବାଶ୍ରମରେ ଏକାଧିକ ଛାତ୍ରୀଙ୍କୁ ପ୍ରେତାତ୍ମା ସବାର ହେଉଥିଲା ତେଣୁ ଏହାର ପ୍ରତିକାର ପାଇଁ ଗାଁ ଲୋକଙ୍କ ପରାମର୍ଶରେ ଏପରି କରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ପକ୍ଷୀ ବଳି ମଧ୍ୟ ଦିଆଯାଇଛି। ୫ ଦିନ ଧରି ଏଭଳି ପୂଜାର୍ଚ୍ଚନା କରାଯାଇଛି। କର୍ଲାକୋଟ ସେବାଶ୍ରମର ଛାତ୍ରୀ ଉମାଭାରତୀଙ୍କ ସମେତ ୭ ଜଣ ଛାତ୍ରୀ ଅସୁସ୍ଥ ହେବା ସହ ଅସ୍ୱାଭାବିକ ଆଚରଣ କରୁଥିଲେ। କାହିଁକି ଛାତ୍ରୀମାନେ ଏଭଳି କରୁଛନ୍ତି ତାହାର ନିରାକରଣ ପାଇଁ ଏ ବ୍ୟବସ୍ଥା କରାଯାଇଛି ବୋଲି ଖେଳ ଶିକ୍ଷକ ରଘୁନାଥ ହେମ୍ବ୍ରମ କହିଛନ୍ତି।
ଜୟପାଟଣା ବ୍ଲକ ଶିକ୍ଷା ଅଧିକାରୀ ଗୋଲାପ ସିଂହ କହିଛନ୍ତି,“କେଉଁ ପରିସ୍ଥିତିରେ ତନ୍ତ୍ରପାଠ ଏବଂ ଝଡାଫୁଙ୍କା ପରି ଅନ୍ଧବିଶ୍ୱାସର ଆଶ୍ରୟ ନିଆଯାଇଛି ତାହାର ତଦନ୍ତ ପାଇଁ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଛି। ସେମାନେ ଆଜି ତଦନ୍ତ କରିଛନ୍ତି। ସେମାନଙ୍କ ରିପୋର୍ଟ ଆଧାରରେ ଶିକ୍ଷକ ଏବଂ ହଷ୍ଟେଲ ୱାଡନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।