ମର୍ଡ଼ର ପୂର୍ବରୁ ତାଙ୍କ ପ୍ରାଇଭେଟ୍ ପାର୍ଟକୁ କଟାଯାଇଥିଲା: ବିଦୁସ୍ମିତା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଆଲବମ୍‌ ଜଗତର ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାରେ ୫ମ ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ୧୨ ବର୍ଷ ପରେ ଏହି ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ।

ସେ କହିଛନ୍ତି, “ସୁମନ୍ତ ଭାଇ ମୋ ସହିତ ବହୁତ କ୍ଲୋଜ୍‌ ଥିଲେ। ସେ ମୋର ବଡ଼ ଭାଇ ଭଳି। ବହୁତ୍ ଭଲ ଲୋକ। ଚକେଇଶିଆଣୀରୁ ଯେବେ ତାଙ୍କ ମୃତ ଦେହ ମିଳିଲା ମୋ ଭାଇ ଆଉ ମୁଁ ଦେଖିବାକୁ ଯାଇଥିଲୁ। ସେଇ ସମୟରେ ପୁଲିସ ତଥ୍ୟ ନେବା ପାଇଁ ଆମକୁ ବହୁ ସମୟ ଥାନାରେ ବସାଇ ଦେଇଥିଲେ।  ବହୁଦିନ ପରେ ହତ୍ୟାକାରୀ ଧରାପଡ଼ିଥିବାରୁ ଖୁସି ଲାଗୁଛି।

ସେ ପୁରା ନିରୀହ ଲୋକ ଥିଲେ। ଗୋଟିଏ ପ୍ରୋଗ୍ରାମ ବାହାନାରେ ସୁମନ୍ତଙ୍କୁ ଡକାଯାଇଥିଲା। ରାତିସାରା ତାଙ୍କୁ ନିର୍ଯାତନା ଦେଇ ମାରିଛନ୍ତି। ତେଣୁ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ ଯେପରି ଆଉ କୌଣସି ନିରୀହ ଲୋକ ସହ ଏମିତି ଘଟଣା ନ ଘଟୁ।”

ବିଦୁସ୍ମିତା କହିଛନ୍ତି, ଏହା ସମ୍ପୂର୍ଣ୍ଣ ଏକ ପ୍ରି ପ୍ଲାନ୍‌ ମର୍ଡ଼ର ଥିଲା। ମୁଁ ଯେତିକି ଜାଣିଛି, ଅଭିଯୁକ୍ତମାନେ ସଙ୍ଗୀତ ମହାବିଦ୍ୟାଳୟରେ ସୁମନ୍ତଙ୍କ ଜୁନିଅର ଥିଲେ। କଲେଜ ସମୟରେ କୌଣସି ଏକ ଘଟଣାକୁ ନେଇ ରାଗ ରଖିକି ତାଙ୍କୁ ପ୍ରୋଗ୍ରାମ ବାହାନାରେ ଡାକିଥିଲେ। ରାତିସାରା ତାଙ୍କୁ ସିଗାରେଟ ଚେଙ୍କ ଦିଆଯାଇଥିଲା। ଯାହାର ଦାଗ ତାଙ୍କ ଦେହରେ ଥିଲା। ଏମିତିକି ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ କଟାଯାଇଥିଲା। ରାତିସାରା ତାଙ୍କୁ  ନିର୍ଯାତନା ଦେଇ ହତ୍ୟା କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୦୮ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୂର୍ବରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨ ବର୍ଷ ପରେ ୫ମ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ଆଜି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସିପିଙ୍କ ସୂଚନା ଅନୁଯାୟୀ, ବିକ୍ରମାଦିତ୍ୟ ଫେରାର ହୋଇ ପୁନେରେ ରହୁଥିଲେ। ୨୦୧୭ରେ ତାଙ୍କ ମା’ଙ୍କ ଦେହ ଖରାପ ହୋଇଥିଲା। ତା’ପରଠାରୁ ସେ ତାଙ୍କ ପରିବାର ସହ ଯୋଗାଯୋଗରେ ଥିଲେ। ସେ ପୁନେରେ ଜଣେ ଜିମ୍ ଟ୍ରେନ୍‌ର ଭାବେ କାର୍ଯ୍ୟ କରୁଥିଲେ। ଏହି ସୂଚନା ପାଇବା ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଥିଲା ଓ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଶେଷରେ ତାଙ୍କୁ ସ୍ପେଶାଲ ସ୍କ୍ୱାଡ୍‌ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ବୋଲି ସିପି କହିଛନ୍ତି।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।